ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍‌ଲାଇନ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍‌ଲାଇନ । ଜାନୁଆରୀ ୨୬ ତାରିଖ ଦିନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜାତୀୟ ପତାକା ଉଡ଼ିବ । କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍‌ରେ ପତାକା ଉତ୍ତୋଳନ କରିବେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ । ଏହି ସମାରୋହରେ ସ୍କୁଲର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଭାଗ ନେଇପାରିବେ । ଏଥର ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ । ତେଣୁ ପ୍ରତି ସ୍କୁଲ ପିଲା କ୍ରାଫ୍ଟ ପ୍ରକଳ୍ପ ପ୍ରସ୍ତୁତ କରି ସୀମାରେ ନିୟୋଜିତ ଯବାନଙ୍କ ନିକଟକୁ ପଠାଇପାରିବେ । ଯବାନଙ୍କ ନିକଟରେ ଏହାକୁ ପହଞ୍ଚାଇବାର ବ୍ୟବସ୍ଥା ପ୍ରତିରକ୍ଷା ମନ୍ତ୍ରଣାଳୟ କରିବ । ସ୍କୁଲ ବନ୍ଦ ଥିଲେ ପିଲାମାନେ ସେମାନଙ୍କ ଘରେ ରହି ପ୍ରକଳ୍ପ କରିବେ ଓ ତାହାକୁ ପଠାଇ ପାରିବେ । ପ୍ରକଳ୍ପର ଥିମ ରହିଛି ‘ୱେଷ୍ଟ ଟୁ ବେଷ୍ଟ’, ‌’ୱେଷ୍ଟ ଟୁ ୱେଲ୍ଥ’ । ସମସ୍ତ କ୍ରାଫ୍ଟ ପ୍ରୋଜେକ୍ଟ/ମଡେଲ୍‌ଗୁଡ଼ିକ ଆରଡିସି ୱେବସାଇଟ୍‌ www.indianrdc.mod.gov.inରେ ସ୍କୁଲ ନାମ ଓ ଅନ୍ୟାନ୍ୟ ତଥ୍ୟ ସହ ପ୍ରକାଶ ପାଇବ । ଶ୍ରେଷ୍ଠ ପ୍ରକଳ୍ପକୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବ । ସେହିପରି ୨୫ ତାରିଖ ସୁଦ୍ଧା ସ୍କୁଲ ସ୍ତରରେ ରଚନା ଲେଖନ, ବକ୍ତୃତା, କ୍ଲାସ ପ୍ରୋଜେକ୍ଟ, ନାଟକ ଆଦି ପ୍ରତିଯୋଗିତା ହେବ । ୨୬ ତାରିଖରେ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.