ବିଧାୟକ ଓ ଜିଲ୍ଲାପାଳ ମୁହାଁମୁହିଁ ଘଟଣା : ଓଏସ ସଂଘର ପ୍ରତିବାଦ ନିଷ୍ପତ୍ତି ପରେ କଂଗ୍ରେସ ପକ୍ଷରୁ ବିଭିନ୍ନ ବ୍ଲକ ସମ୍ମୁଖରେ ଦ୍ଵିତୀୟ ଦିନରେ ଧାରଣା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗତ ୧୨ ତାରିଖ ଦିନ ବଲାଙ୍ଗିର ଠାରେ ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ଘଟଣାକୁ ନେଇ ଓଏସ ସଂଘର ପ୍ରତିବାଦ କରି କଳା ବ୍ୟାଚ ପରିଧାନ ପାଇଁ ନିଷ୍ପତ୍ତି ନିଆଯିବା ପରେ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି । ବଙ୍ଗୋମୁଣ୍ଡା ବ୍ଲକର ବେଆଇନ ଭାବରେ କାଟିଥିବା ବିଜୁ କେବିକେ ଷ୍ଟେଟ ସେୟାରର ୧ କୋଟି ଟଙ୍କା ଫେରାଇ ଦିଆଯାଉ ଏବଂ ୫-ଟି ସ୍କୁଲର ବକେୟା ଟଙ୍କା ଶୀଘ୍ର ଦିଆଯାଉ ବୋଲି ଦାବୀ କରିଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ ସହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ, ତୁରେକେଲା ସମ୍ମୁଖରେ ବିଧାୟକଙ୍କ ସମର୍ଥକ ପକ୍ଷରୁ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସାମିଲ ହୋଇଛନ୍ତି । ଆସନ୍ତା ୧୮ ତାରିଖରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପାଇଁ ବିଧାୟକ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ବିଜୁ କେବିକେରେ ବ୍ଲକ ଫଣ୍ଡ କାଟିଦେବା ବିଷୟରେ କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲାପାଳ କଥା କଟାକଟି ବେଳେ ବୈଠକରେ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସହ ଅନ୍ୟ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଆଠ ମାସ ହେଲା ଜିଲ୍ଲା ପରିଷଦ ବୈଠକ ହେଉନଥିବାରୁ ମଧ୍ୟ ବୈଠକରେ ପାଟିତୁଣ୍ଡ ହୋଇଥିଲା । ଧାରଣାର ଦ୍ଵିତୀୟ ଦିନରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଓମ କୁମ୍ଭାର, ବଙ୍ଗୋମୁଣ୍ଡା ଜୋନ୍‌ର କଂଗ୍ରେସ ସଭାପତି ଗୁରୁଚରଣ ବେହେରା, ସୁଶାନ୍ତ କୁମାର ଯୋଶୀ, ବିଘ୍ନରାଜ ନାଏକ, ମଂଜେସ ମେହେର, ଯୁବରାଜ ବେହେରା, ମଧୁସୂଦନ ସାହୁଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!