ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ବ୍ଲକ ପତୋରା ଅପର ଜୋଙ୍କ ଜଳ ଆବଣ୍ଟନ ବିବାଦ ତେଜିବାରେ ଲାଗିଛି । ଆଜି ସକାଳୁ ତଳମୁଣ୍ଡ ଚାଷୀ ରବି ଚାଷ ପାଣି ପାଇଁ ଜାତୀୟ ରାଜପଥ ୩୫୩କୁ ସିଲଦା ଛକରେ ଅବରୋଧ କରିଛନ୍ତି । ସୂଚନା ଅନୁସାରେ ଗତ ଜାନୁୟାରୀ ୧ ତାରିଖରେ ରବି ଚାଷ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରକଳ୍ପରୁ ତଳମୁଣ୍ଡକୁ ପାଣି ଛାଡିଥିଲା । ଏହାକୁ ବିରୋଧ କରି ଉପରମୁଣ୍ଡ ଚାଷୀ ଜିରୋ ହେଡରୁ ପାଣି ଛାଡିବାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତ ୧୧ ଦିନ ହେବ ପତୋରା ମୁଖ୍ୟ କେନାଲରେ ପାଣିକୁ ବନ୍ଦ କରି ଧାରଣାରେ ବସିଛନ୍ତି । ଅନ୍ୟପକ୍ଷରେ ଆଜି ସକାଳୁ ତଳମୁଣ୍ଡ ଚାଷୀ ନୂଆପଡ଼ା ବ୍ଲକ ସିଲଦା ଛକଠାରେ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଛନ୍ତି । ଏହି ପ୍ରକଳ୍ପରେ ରବିଚାଷ ପାଇଁ ଗୋଟିଏ ବର୍ଷ ତଳମୁଣ୍ଡ ଓ ଗୋଟିଏ ବର୍ଷ ଉପରମୁଣ୍ଡ ଜଳ ସେଚନ ପାଇଁ ପାଣି ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହି ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ବର୍ଷ ଉପର ମୁଣ୍ଡ ଚାଷୀ ପାଣି ପାଇଥିବାରୁ ଚଳିତ ବର୍ଷ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇ ଦେବାର ନିୟମ ରହିଥିଲା ।