
- ସଂସ୍କୃତି ମଧ୍ୟରେ ସମନ୍ୱୟ ରହିଲେ ସୁସ୍ଥ ସମାଜ ଗଠନ ସମ୍ଭବ
ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲ ଠାରେ ୨୪ତମ ବିଜୟା ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସ୍ପିର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିବର୍ତ୍ତନ ପରିସ୍ଥିତିରେ ସଂଗୀତ ନୃତ୍ୟର ଶିକ୍ଷାକୁ ଅବ୍ୟାହିତ ରଖିବା ଏକ ଆହ୍ୱାନ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କବି ରାଜୀବ ପାଣି ଯୋଗଦେଇ କହିଲେ ଯେ, ସଂସ୍କୃତି ୪ ପ୍ରକାର । ସାମାଜିକ, ବ୍ୟକ୍ତିଗତ, ପାରିବାରିକ ଓ ଆଧ୍ୟାତ୍ମିକ । ଏହି ୪ ସଂସ୍କୃତି ମଧ୍ୟରେ ସମନ୍ୱୟ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ । ସଂଗୀତ ସାହିତ୍ୟ ସମାଜକୁ ପରିମାର୍ଜିତ କରେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ଦାସ କହିଲେ ଯେ, ରାଉରକେଲା କେବଳ ଇସ୍ପାତ ତିଆରି କରେ ନାହିଁ, ସାଂସ୍କୃତିକ କ୍ଷେତ୍ରରେ ଅବଦାନ ଅନେକ । ଆମେ ପାଶ୍ଚାତ୍ୟ ସଂସ୍କୃତିରେ ବିଶେଷ ଭାବେ ପ୍ରଭାବିତ ହେଉଛୁ । ନିଜ ପରମ୍ପରାକୁ ମନେ ରଖିବାକୁ ହେଲେ ନିଜ ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ । ସଂଯୋଜକ ଶ୍ରୀ ସାହୁ ଅନୁଷ୍ଠାନ ସଂପର୍କରେ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସଂଗୀତ ଗୁରୁ ବାବାଜୀ ଚରଣ ବିଶ୍ୱାଳ, ଗୁରୁ ବି ଚନ୍ଦ୍ରଶେଖର ରାଓ, ଗୁରୁ ବିବେକାନନ୍ଦ ପଣ୍ଡା ଓ ନୃତ୍ୟଗୁରୁ ସୁଦେଷ୍ଣାରାଣୀ ରାଉତଙ୍କ ମାଗଦର୍ଶନରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ପ୍ରତାପ ରାୟ, ଡଃ କିଶୋରୀ ଦାଶ, ସୁଶାନ୍ତ ନାୟକ, ମିତାଲି ସିହ୍ନା, ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।