କୋଠାବାଡ଼ି ଓ ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ : ଏଚ୍‌ଏମ୍‌ଏସ୍‌

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ବିକାଶ ପାଇଁ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି । ସେଥିମଧ୍ୟରୁ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବହୁବିଧ ଯୋଜନା କରିବା ସହ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ବାସ୍ତବରେ ଯୋଜନାର ସୁଫଳ ନିର୍ମାଣ ଶ୍ରମିକମାନେ ପାଇବାରୁ ବଂଚିତ ହେଉଛନ୍ତି ବୋଲି ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ରାଜ୍ୟ ଉପାଧ୍ୟକ୍ଷ ରବି ରଥ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଦାବୀପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ୨୦୨୦-୨୧ ମସିହାରେ କରୋନାର ପ୍ରଭାବ ଯୋଗୁଁ ରାଜ୍ୟ ସରକାର ପ୍ରତି ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ଘୋଷଣା କରିଥିଲେ । ଏହା ଫଳରେ ବହୁ ଶ୍ରମିକ ଏହାର ସୁଯୋଗ ନେଇଥିଲେ ମଧ୍ୟ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରମିକ ଏଥିରୁ ବଂଚିତ ହୋଇଛନ୍ତି । ସେମାନେ ପୁଣି ସହାୟତା ପାଇଁ ବାରମ୍ବାର ଶ୍ରମ କାର୍ଯ୍ୟାଳୟଗୁଡ଼ିକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଏହି ବ୍ୟବସ୍ଥାର ସରଳୀକରଣ କରାଯାଇ ଶ୍ରମିକମାନେ ଯେଭଳି ଏହାର ସୁଯୋଗ ନେଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉ । ଏହି ଯୋଜନାରେ ପିଲାଙ୍କ ପାଠପଢ଼ା, ଝିଅ ବିବାହ ପାଇଁ ସହାୟତା ଥିଲେ ମଧ୍ୟ ୨୦୧୯ରୁ ଏହା ମିଳିନାହିଁ । ଆବେଦନକାରୀଙ୍କ ଫର୍ମ ଶ୍ରମ ବିଭାଗରେ ପଡ଼ି ରହିଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି । ବର୍ତ୍ତମାନ ସବୁ କାର୍ଯ୍ୟ ଅନଲାଇନରେ ହେବା ଦ୍ୱାରା ଅଶିକ୍ଷିତ ଓ ଅଜ୍ଞାତ ଶ୍ରମିକମାନେ ଏହାର ସୁଯୋଗ ନେଇପାରୁନାହାନ୍ତି । ଅଯଥା ଖର୍ଚ୍ଚାନ୍ତ ହୋଇ ହଇରାଣ ହେଉଛନ୍ତି ଏବଂ ଦଲାଲମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ରାଜ୍ୟ ସରକାର ଏ କୌଣସି ନୂତନ ପଦକ୍ଷେପ ଗ୍ରହଣ ସହ ବ୍ୟବସ୍ଥାକୁ ସରଳୀକରଣ କଲେ ନିର୍ମାଣ ଶ୍ରମିକମାନେ ଉପକୃତ ହୋଇପାରିବେ ।

Leave A Reply

Your email address will not be published.