ମା’ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍‌ଘାଟିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦ୍ୱିତୀୟ ମା’ ଭୈରବୀ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣ ଠାରୁ ମା’ଙ୍କ ଜ୍ୟୋତି ଓ ପ୍ରତିମାକୁ ନେଇ ଏକ ବିରାଟ ପଟୁଆର ସହିତ ଢୋଲ ମହୁରୀ, ଦଣ୍ଡ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ମହୋତ୍ସବ ପଡ଼ିଆକୁ ଶୋଭାଯାତ୍ରାଟି ପହଂଚି ଥିଲା । ମୁଖ୍ୟ ଅତିଥି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ଵାରା ମା’ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦ୍‌ଘାଟିତ କରିଥିଲେ । ଅନ୍ୟପଟେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନା, ଏମଜିଏମ ଗୃପ୍ ଲୋକାପଡା ପରିଚାଳନା ନିର୍ଦ୍ଦେଶକ ତନୁଜ ମହାନ୍ତି, ଭୁବନେଶ୍ବର ସାଇକୃପା ଚାରି ଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ସଦାଶିବ ଦାସ, ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲା, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ ପ୍ରଧାନ, ଓ ମହୋତ୍ସବ କମିଟିର ସମ୍ପାଦକ ଅଶୋକ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ନଟରାଜ କଳା ପରିଷଦ ଫୁଲବାଣୀ ପକ୍ଷରୁ ଓଡ଼ିଶୀ ନୃତ୍ୟ, ସୁନ୍ଦରଗଡ଼ରୁ ଆସିଥିବା ସମ୍ବଲପୁରୀ ନୃତ୍ୟ, ସୋସିଆଲ ମିଡିଆର ଭାଇରାଲ କଳାକାରଙ୍କ ଦ୍ଵାରା ଝୁଲରେ ନିତାଇ ଝୁଲ, ଭୈରବୀ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ଗୀତ ଏବଂ ସୁନାମ ଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ କରାଯାଇଥିଲା । ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମହୋତ୍ସବର ପ୍ରଥମ ଶୀତୁଆ ସନ୍ଧ୍ୟାରେ ମୀନା ବଜାର, ପଲ୍ଲୀଶ୍ରୀ ମେଳା ଓ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ଷ୍ଟଲ୍ ଗୁଡିକରେ ଦର୍ଶକ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା । ଉଦ୍‌ଘାଟିତ ପ୍ରଥମ ସନ୍ଧ୍ୟାରେ ମହୋତ୍ସବର ସମ୍ପାଦକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମହୋତ୍ସବର ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!