ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଗଙ୍ଗାନଗରପଡାର ଜଣେ ସୁନା ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଲୁଟ୍ର ଶିକାର ହୋଇଥିବା ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁନା ବ୍ୟବସାୟୀ ବିନୋଦ ସା(୪୦)ଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଚୁଡାପାଲି ସ୍ଥିତ ସୁନା ଦୋକାନ ବନ୍ଦ କରି ନିଜ ଘର ପାଟଣାଗଡ଼ ସ୍ଥିତ ଗଙ୍ଗାନଗରକୁ ନିଜ ବାଇକ ନଂ ଓଡି ୦୩ ୟୁ ୬୩୧୧ରେ ସନ୍ଧ୍ୟା ସାଢେ ୭ଟା ସମୟରେ ଫେରୁଥିଲେ । ତାଙ୍କର ପଛପଟୁ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ତାଙ୍କୁ ପିଛା କରିଆସୁଥିଲେ । ଦୁର୍ବୃତ୍ତମାନେ ନିଛାଟିଆ ସ୍ଥାନର ସୁଯୋଗ ନେଇ ଧୁବଲପଡା ଓ ଭଇଁଷା ମଝିରେ ରାସ୍ତାରେ ଜଣେ ଦୁର୍ବୃତ୍ତ ସୁନା ବ୍ୟବସାୟୀଙ୍କ ବାଇକ୍କୁ ପଛପଟୁ ଲାତ ମାରିଥିଲା । ଯାହାଫଳରେ ସୁନା ବ୍ୟବସାୟୀ ବିନୋଦ ବାଇକ୍ରୁ ଛିଟିକି ତଳେ ପଡିଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଟଙ୍କା ବ୍ୟାଗ ସହ ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ ଓ କାନ୍ଧରେ ଧରିଥିବା ସୁନା ବ୍ୟାଗକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଟଙ୍କା ଓ ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ ଥିବା ବ୍ୟାଗକୁ ଦୁର୍ବୃତ୍ତମାନେ ଛଡେଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ସୁନା ଦୋକାନୀ ଜଣକ ସୁନା ଥିବା ବେଗ ଟିକୁ ଜାବୁଡ଼ି ଧରିଥିଲେ । ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଲୋକେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗଟିକୁ ଧରି ଚମ୍ପଟ ମାରିଥିଲେ । ଉକ୍ତ ବ୍ୟାଗରେ ପାଖାପାଖି ୨୦ ହଜାର ଟଙ୍କା ଥିବା ସୁନା ଦୋକାନୀ ଜଣକ ତାଙ୍କ ଏତଲାରେ ଦର୍ଶାଇଥିବା ସହ ରାସ୍ତାରେ ଯାଉଥିବା ଲୋକମାନଙ୍କ ଯୋଗୁଁ ଲକ୍ଷାଧିକ ଟଙ୍କାର ସୁନାଗହଣା ଥିବା ବ୍ୟାଗଟିକୁ ଛଡ଼ାଇ ପାରିନଥିଲେ । ଏହାପରେ ସୁନା ଦୋକାନୀ ଜଣକ ଲୋକମାନଙ୍କ ସହାୟତାରେ ପାଟଣାଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ଠାରୁ ଜଣାପଡିଛି ।