କଳାହାଣ୍ଡି (ପି.କେ.ସାହୁ): ଛାତ୍ର ଜୀବନରୁ ସମାଜସେବାକୁ ବ୍ରତ ଏବଂ ବୃତ୍ତି ଭାବେ ଗ୍ରହଣ କରିଥିବା ରାମଚନ୍ଦ୍ର ସିଂହଙ୍କ ଆଜି ପରଲୋକ ହେଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଅବସ୍ଥାନ କରୁଥିବା ସ୍ୱର୍ଗତ ସିଂହ ରମାଦେବୀ ରିଲିଫ କମିଟୀରେ ଛାତ୍ରାବସ୍ଥା ପରେ ପରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେଇ ସମୟରେ ସେବାକାର୍ୟ୍ୟ କରିଆସୁଥିଲେ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଇ । ସମାଜର ତଳସ୍ତରର ମଣିଷଙ୍କୁ ସହାୟତାର ହାତବଢାଇ ସେମାନଙ୍କ ବିଭିନ୍ନ ଅଧିକାର ସହିତ ଜୀବନଯାଂପନରେ ଉନ୍ନତିକଳ୍ପେ ସେ ସଦାସର୍ବଦା ଥିଲେ କର୍ତ୍ତବ୍ୟରତ । ୧୯୪୮ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ସିଂହ ରମାଦେବୀ ରିଲିଫ୍ କମିଟୀ ସମେତ ନିପୀଡ଼ିତ,ସେବାଜଗତ,କର୍ତ୍ତବ୍ୟରେ କାର୍ୟ୍ୟ କରିବା ସହିତ ନିଜେ ଶାନ୍ତିମୈତ୍ରିୀ ନାମରେ ଏକ ସଂଗଠନ ଗଠନ କରି ଦୀର୍ଘ ବର୍ଷ ଧରି ସମାଜସେବା କରିଆସୁଥିଲେ । ଜୀବନର ଶେଷ ପର୍ୟ୍ୟନ୍ତ ସେ ଏହି କାର୍ୟ୍ୟରେ ମନୋନିବେଶ କରିଥିଲେ ହେଁ ଗତ କିଛି ଦିନ ଧରି ଅସୁସ୍ଥ ରହିଥିଲେ । ଆଜି ୭୨ବର୍ଷ ବୟସରେ ମ.ରାମପୁର ସ୍ଥିତ ତାଙ୍କ ବାସଭବନରେ ପରଲୋକ ହେଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କରି ଦୁଇଝିଅ, ଜ୍ୱାଇଁ ଓ ପତ୍ନୀ ଉପସ୍ଥିତ ରହିଥିଲେ । ତାଙ୍କରି ଅନ୍ତିମ ସଂସ୍କାର ଉତ୍ତେଇ ନଦୀ ଶ୍ମସାନରେ କରାଯାଇଥିବାବେଳେ ତାଙ୍କରି ଏକମାତ୍ର ପୁତ୍ର ଅମରେଶ ସିଂହ ମୁଖାଗ୍ନି ଦେଇଥିଲେ । ତାଙ୍କରି ବିୟୋଗରେ ସେବାଜଗତ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, କର୍ତ୍ତବ୍ୟ ପରିଚାଳନା ନିଦ୍ଦେର୍ଶକ ଅଶୋକ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ସିଂହଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।