ମୋହନା : ଗଜପତି ଜିଲ୍ଲା ମୋହନା ନାରୀଙ୍ଗି ଘାଟୀରେ ଏକ ଟ୍ରାକ୍ଟର ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଯୋଡ଼ିପଥର ଗାଁର ଉଷା ଶବର ହୋଇଥିବା ବେଳେ ଗୁରୁତର ଆହତ ଜଣକ ମାଣିକପୁର ଗାଁର ମହେଶ ମାଝୀ ବୋଲି ଜଣାପଡ଼ିଛି ।
ସୂଚନାନୁଯାୟୀ, ଏକ ଟ୍ରାକ୍ଟର ଆଜି ସକାଳେ ଚନ୍ଦ୍ରଗିରି ଅଞ୍ଚଳରୁ ମାଟି ବୋଝେଇ କରି ମୋହନା ଆସୁଥିଲେ । ଟ୍ରାକ୍ଟରରେ ଚାରି ଜଣ ଶ୍ରମିକ ବସିଥିବା ବେଳେ ମୋହନା ନରୀଙ୍ଗି ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଉଷା ଶବର ଓ ମହେଶ ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ । ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଶ୍ରମିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ମୋହନା ଅଗ୍ନିଶମବାହିନୀ ଘଟଣସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଦୁଇ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ଆଣିଥିଲେ । ତେବେ ଡାକ୍ତର ଉଷାକୁ ମୃତ ଘୋଷଣା କରିଥିଲେ । ଆହତ ମହେଶଙ୍କ ଚିକିତ୍ସା ଚାଲିଥିବା ବେଳେ ମୋହନା ପୁଲିସ ଘଟଣାର ତଦନ୍ତ କରୁଛି ।