ଶୁଦ୍ଧିକ୍ରିୟା ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସରୋଜ ମେହେରଙ୍କ ଶୁଦ୍ଧିକ୍ରିୟା ଅବସରରେ ତାଙ୍କ ବାସଭବନ ଜାଣ୍ଡୋଲ, ଭେଡେନ, ବରଗଡ଼ଠାରେ ନିଷ୍ଠା ପରିବାର ସହଯୋଗରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରରେ ସାତ ଯୋଡ଼ା ଦମ୍ପତ୍ତି, ହେଲପିଙ୍ଗ ହାର୍ଟର ମୁଖ୍ୟ ସତ୍ୟାନନ୍ଦ ପାଣ୍ଡେଙ୍କ ସମେତ ସର୍ବମୋଟ୍ ୪୨ ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହେଇଥିଲା । ଏହି ଅବସରରେ ନିଷ୍ଠା ପରିବାର ତରଫରୁ ସ୍ୱର୍ଗତ ସରୋଜ ମେହେରଙ୍କ ସ୍ମୃତିରେ ଆୟୋଜନ କରିଥିବା ରକ୍ତଦାନ ଶିବିର ପାଇଁ ତାଙ୍କ ପରିବାର ବର୍ଗଙ୍କୁ ମୋମେଣ୍ଟୋ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ସ୍ୱର୍ଗତ ମେହେରଙ୍କ ପତ୍ନୀ କଳ୍ପନା ମେହେର, ପୁଅ ପିଙ୍କୁ ମେହେର, ଝିଅ ସ୍ୱପ୍ନା ମେହେର ଓ ଜ୍ୱାଇଁ ଗଣେଶ ମେହେର ଆଜିର ରକ୍ତଦାନ ଶିବିର ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କୋହ ଭରା କଣ୍ଠରେ କହିବା ସହ ରକ୍ତଦାତା ମାନଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ । ନିଷ୍ଠା ପରିବାରର ଉପଦେଷ୍ଠା ଦୂର୍ବାଦଳ ଷଡ଼ଙ୍ଗୀ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, ଚିତ୍ରସେନ ପ୍ରଧାନ, ଲିଙ୍ଗରାଜ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା, ସହଯୋଗୀ ସମସ୍ତଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ନିଜର ଆତ୍ମୀୟଙ୍କୁ ହରାଇ ଅତ୍ୟନ୍ତ ଭାଙ୍ଗି ପଡନ୍ତି ପରିବାର ଲୋକ । କିଛି ବିଚାର କରିବା ସମ୍ଭପର ହୁଏ ନାହିଁ କିନ୍ତୁ ମେହେର ପରିବାର ଶୁଦ୍ଧି କ୍ରିୟା ଅବସରରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କରି ସମାଜ ପାଇଁ ଏକ ଉଦାହଣ ସୃଷ୍ଟି କରୁଥିବାରୁ ନିଷ୍ଠା ପରିବାର ତରଫରୁ ତାଙ୍କୁ ସାଧୁବାଦ ଓ କୋଟି ପ୍ରଣାମ ଜଣାଇଛନ୍ତି ।

Leave A Reply

Your email address will not be published.