ଶିକ୍ଷକ ପଢାଇବା ପରିବର୍ତ୍ତେ ଚୌକିରେ ନିଘୋଡ଼ ନିଦରେ ଶୋଇଥିବା ଭିଡିଓ ଭାଇରାଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜିକାଲି ଦୁନିଆରେ ବଞ୍ଚିବାକୁ ନିହାତି ଶିକ୍ଷା ଦରକାର । ଶିକ୍ଷା ବ୍ୟବସ୍ଥା ଯଦି ଠିକ୍ ଭାବରେ କାର୍ୟ୍ୟକାରୀ ହେବ ତା’ହେଲେ ଯାଇ ଦେଶ ଆଗକୁ ଗତି କରିବ । ସଂସାରର କୋଣ ଅନୁକୋଣରେ ଯେଉଁଠି ରହିଲେ ବି ଶିକ୍ଷା ଆବଶ୍ୟକ । ଏଥିପାଇଁ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷା ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ହଜାର ହଜାର ଟଙ୍କା ଦରମା ଦେଇ ଶିକ୍ଷକ ରଖିଛନ୍ତି ଓ ଶିକ୍ଷକମାନଙ୍କୁ ଦେଖାଶୁଣା କରିବା ପାଇଁ ଲକ୍ଷାଧିକ ଟଙ୍କା ଦରମା ଦେଇ ଅଧିକାରୀ ମଧ୍ୟ ରଖିଛନ୍ତି । ଛୋଟ ଗାଁ ଠାରୁ ଆରମ୍ଭ କରି ବଡ଼ ବଡ଼ ସହରରେ ମଧ୍ୟ ବିଦ୍ୟାଳୟ ମାନେ ନିର୍ମାଣ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଏହି କି ଯେ ସରକାରୀ ଶିକ୍ଷକ ଅତ୍ୟଧିକ ଦରମା ପାଇ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢାଉନଥିବା ଅଭିଯୋଗ ହେଉଛି । ସେଥିପାଇଁ ଧନୀକ ଶ୍ରେଣୀର ଲୋକ ମାନେ ବେସରକାରୀ ବିଦ୍ୟାଳୟରେ ନିଜ ଛୁଆପିଲାଙ୍କୁ ପାଠ ପଢ଼ାଇବାକୁ ବାଧ୍ୟ ହେଉଛନ୍‌ନ୍ତି । ନାମକୁ ମାତ୍ର ବିଦ୍ୟାଳୟ ଆସି ସମୟ ନଷ୍ଟ କରୁଛନ୍ତି ପିଲା ପଢିଲେ କେତେ ନ ପଢିଲେ କେତେ ‌ବୋଲି ମତ ପ୍ରକାଶ ପାଇଛି । ଏବେ କିଛି ଦିନ ତଳେ ଶିକ୍ଷା ବିଭାଗକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ନେଇ ଶିକ୍ଷକ ମାନେ ଏବେ ବେଫିକର ହୋଇ ବିଲମ୍ବରେ ବିଦ୍ୟାଳୟ ଆସୁଥିବା ବେଳେ କିଛି ଜଣ ଶିକ୍ଷକ ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି । ଏଭଳି ଏକ ଦୁର୍ଭାଗ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋର ଭାଇରାଲ ହେଉଛି । ତାହା ହେଉଛି ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ୍ ଅନ୍ତର୍ଗତ ସରମୁହାଣ ପଞ୍ଚାୟତ ଖରଖରା ଗାଁ ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟରତ ଥିବା ଶିକ୍ଷକ ବେଲପଡା ବ୍ଳକ ନୁନହାଡ ପଞ୍ଚାୟତ ଡୁଙ୍ଗୁରିପାଲି ଗାଁର ପ୍ରଶ୍ନ କୁମାର ମିଶ୍ର । ଶିକ୍ଷକ ଜଣକ ପାଠ ନ ପଢ଼ାଇ ଶୋଇବାରେ ବ୍ୟସ୍ତ ଅଛନ୍ତି ଏପଟେ ଛାତ୍ରଛାତ୍ରୀ ମାନେ ଏଣେତେଣେ ବୁଲୁଛନ୍ତି । ଏହି ଦୃଶ୍ୟ ଟିକୁ କେହି ଜଣେ ସମାଜସେବୀ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି । ଏହାକୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାକୁ ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଦୃଷ୍ଟି ଆକର୍ଷଣ କରି ଶିକ୍ଷକଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.