ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ : ତଳି କିଆରି ଦଳି ନଷ୍ଟ କରି ଦେଲେ ହାତୀ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ କରିଥିବା ଜଣାପଡିଛି । ଗତକାଲି ରାତିରେ ହାତୀପଲ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ଓ ଭୀମକାଣ୍ଡ ଗ୍ରାମର ତଳି କିଆରିରେ ପଶି ଖିନ୍‌ଭିନ୍‌ କରି ଦେଇଛନ୍ତି । ସୂଚନା ଅନୁସାରେ ୨୨ ଟିକିଆ ହାତୀପଲ ଭୀମକାଣ୍ଡ ଗ୍ରାମର ବଡ଼ନାଳୀ ତଥା ଏହାର ସଂଲଗ୍ନ ଚାଷ ଜମିରେ ପଶି କ୍ଷୟକ୍ଷତି କରିଛନ୍ତି । ଲକ୍ଷ୍ମଣ ମୁଣ୍ଡା, ନିତ୍ୟାନନ୍ଦ ମୁଣ୍ଡା, ବଳରାମ ମୁଣ୍ଡା, ସୁମନ୍ତ କୁମାର ସାହୁ, ହେମନ୍ତ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଯୁଗଳ କିଶୋର ରଣସିଂହଙ୍କ ତଳି କିଆରିକୁ ମାଡ଼ି ଦଳି ନଷ୍ଟ କରି ଦେଇଛନ୍ତି । ରୋଇବା ପୂର୍ବରୁ ତଳି ପଟାଳି ନଷ୍ଟ ହୋଇ ଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଚଳିତ ବର୍ଷ ପ୍ରତିକୂଳ ପାଗ ସତ୍ତ୍ୱେ ଚାଷୀ ବହୁ ପରିଶ୍ରମ କରି ତଳି ପଟାଳି ପ୍ରସ୍ତୁତ କରିଥିଲେ । କିନ୍ତୁ ଚାଷ ଆରମ୍ଭରୁ ହାତୀପଲ ତଳି ପଟାଳି ନଷ୍ଟ କରି ଦେଇଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ପଲରେ ୨୨ଟି ହାତୀ ରହିଛନ୍ତି । ହାତୀପଲ ବିଭିନ୍ନ ସମୟରେ କ୍ଷୟକ୍ଷତି କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସଠିକ୍‌ ଆକଳନ କରି ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦିଆଯାଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ତେଲକୋଇ ରେଞ୍ଜରେ ୨୫ଟି ହାତୀ ବୁଲୁଛନ୍ତି । ହାତୀ ପାଇଁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଭୀମକାଣ୍ଡ ସମିତିସଭ୍ୟ ବିରଞ୍ଚି କୁମାର ବେହେରା, ସରପଞ୍ଚ ରୀନା ମାଝୀ, ଆକୁଳ ସମିତିସଭ୍ୟ ଯୁଗଳ କିଶୋର ପ୍ରଧାନ, ସରପଞ୍ଚ କୁଳମଣି ଫୁଦକାର, ଖୁଣ୍ଟାପଡ଼ା ସରପଞ୍ଚ ଲକ୍ଷ୍ମୀ ମୁଣ୍ଡା, ସମିତିସଭ୍ୟ ଅନନ୍ତ ବେହେରା, ଶିରିଗିଡ଼ା ସମିତିସଭ୍ୟ ପଦ୍ମଲୋଚନ ଦାସ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.