ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଉପରେ ଷଡଯନ୍ତ୍ରକୁ ବିରୋଧ କରି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଷଡଯନ୍ତ୍ର କରି ଦଫା ଲଗାଯାଇ ଗିରଫ କରିବା ଘଟଣାକୁ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହୀ ଏହା ଏକ ନିନ୍ଦନୀୟ ବୋଲି ଏକ ବାର୍ତ୍ତାରେ କହିଛନ୍ତି । ଗଣମାଧ୍ୟମ ଯାହା ସମ୍ବିଧାନର ୪ର୍ଥ ସ୍ତମ୍ଭର ସୁରକ୍ଷା ଓ ସ୍ୱାଧୀନତା ଦିଆଯିବା ଜରୁରୀ ବୋଲି ସେ ସରକାରଙ୍କୁ କହିଛନ୍ତି । ଅନ୍ୟପକ୍ଷରେ ପ୍ରକାଶ ଥାଉକି, ଶ୍ରୀ ଦାଶଙ୍କୁ ଜଣେ ଜଘନ୍ୟ ଅପରାଧିକଙ୍କ ଭଳି ପ୍ରଶାସନ ବ୍ୟବହାର କରିବା ଦୃଢ଼ ବିରୋଧ ଓ ତୀବ୍ର ନିନ୍ଦା କରାଯାଇଛି । ଶନିବାର ଅପରାହ୍ନ ୪ଟା ସମୟରେ ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କିତ ଏକ ସ୍ମାରକପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ସାକ୍ଷାତ କରି ଏହା ଏକ ଘୋର ପରିତାପ ଓ ଉଦବେଗର ବିଷୟ ବୋଲି ଛତ୍ରପୁର ସାମ୍ବାଦିକ ଗଣ ମତବ୍ୟକ୍ତ କରିଥିଲେ । ଛତ୍ରପୁରର ଗଣମାଧ୍ୟମ ପ୍ରତିନିଧି ତଥା ସମସ୍ତ ସାମ୍ବାଦିକ ମାନେ ଅପରାହ୍ନ ୩ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସମ୍ମିଳିତ ହୋଇ ଅର୍ଦ୍ଧେନ୍ଦୁଙ୍କ ପ୍ରତି ହୋଇଥିବା ବିଚାର ଅନ୍ୟାୟ ବୋଲି ଦୃଢ଼ ପ୍ରତିବାଦ କରିଥିଲେ ।