ଗଞ୍ଜାମ ଜିଲ୍ଲାସ୍ତରୀୟ ନିଶା ନିବାରଣ ଦିବସ ପାଳିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଶା ସେବନ ଅଭ୍ୟାସ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ଅଟେ । ଯାହା ଦ୍ୱାରା ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରେ ଏବଂ ଦୁର୍ଘଟଣା ବୃଦ୍ଧି ଘଟାଏ । ଏପରିକି ଏଡ୍ସ ରୋଗରେ ପୀଡିତ କରାଏ । ପରିଶେଷରେ ମୃତ୍ୟୁ ମନୁଷ୍ୟକୁ ମୃତ୍ୟୁମୁଖକୁ ଟାଣିନିଏ ବୋଲି ଆଲୋକପାତ ହୋଇଛି । ରବିବାର ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ “ଅନ୍ତର୍ଜାତୀୟ ନିଶା ନିବାରଣ ଓ ନିଶା ଦ୍ରବ୍ୟ ଚୋରା ଚାଲାଣ ନିଷେଧ ଦିବସ” ପାଳିତ ହୋଇଯାଇଛି । ଦିବସଟିକୁ ପାଳନରେ ସୀମିତ ନରଖି ଏହାର କାର୍ଯ୍ୟକାରିତା ଦିଗପ୍ରତି ଅଧିକ ଯତ୍ନଶୀଳହେବା ଜରୁରୀ ବୋଲି ଉପସ୍ଥିତ ବକ୍ତାଗଣ ନିଜ ନିଜ ବକ୍ତବ୍ୟରେ ଜଣାଇଥିଲେ । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଣାଇଥିଲେ ଯେ’ ନିଶା ସେବନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ଯାହାକି ସଜାଗ ଓ ସଚେତନତା ଦ୍ୱାରା ହିଁ ମାନବ ସମାଜକୁ ନିଶା ସେବନରୁ ମୁକ୍ତ କରିହେବ । ଲୋକଙ୍କୁ ସଚେତନତା ଓ ନିଶା ସେବନରୁ ମୁକ୍ତ କରିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତେକ ସଂସ୍ଥାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହୁଛି । ନିଜ ପରିବାରର ଅଭିଭାବକ ଗଣ ନିଜ ସନ୍ତାନର ଯୁବ ଅବସ୍ଥାରେ ତା ପ୍ରତି ନଜର ରଖିବା ଓ ସେମାନଙ୍କୁ ସଚେତନତା କରିବା ଆଜିର ଦିନରେ ମୁଖ୍ୟ ଆବଶ୍ୟକ । ସୁସ୍ଥ ସମାଜ ପାଇଁ ଯୁବ ପିଢିଙ୍କୁ ସତର୍କ କରାଇବା ଆଜିର ଦିନରେ ଆହ୍ୱାନ ବୋଲି ଜଣାଇଥିଲେ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଉଦ୍ୟମରେ ପାଳିତ ଏହି ଦିବସରେ ଅବକାରୀ ଆରକ୍ଷୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ଅଧ୍ୟକ୍ଷତାରେ ଓ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦିବସରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଜଗଦୀଶ ରାଓ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଡାକ୍ତର ବିଭୂ କଲ୍ୟାଣ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କଲ୍ୟାଣ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ନିଶା ନିବାରଣ କଣ, ଏଥିରୁ ନିବୃତ୍ତ ରହିବା ସକାଶେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ନିଶା ନିବାରଣ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିବା ହେତୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବିଶ୍ୱ କେଶନ ଛଟେଇଙ୍କୁ ସମ୍ମାନିତ କରାଯାଇଥିଲା । ଆଲୋଚନାଟିରେ ପୋଲିସ ବିଭାଗୀୟ ,ଅବକାରୀ ବିଭାଗୀୟ, କର୍ମଚାରୀ ଓ ଅଧିକାରୀ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଗଣ ଉପସ୍ଥିତ ଥିଲେ ।
ପୂର୍ବାହ୍ନରେ ଏକ ସଚେତନତା ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା କରାଯାଇଥିଲା ।