ପରକୀୟା ପ୍ରୀତି ପାଇଁ ପର ହେଲେ ସ୍ୱାମୀ ଓ ସନ୍ତାନ

ନୂଆପଡା, (ନିରାକାର ମେହେର) : ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ପଂଚାୟତର ତିଖାଲିରେ । ଏହି ଗ୍ରାମରେ ବସବାସ କରନ୍ତି ଲୋଚନ ପହରିଆ ସ୍ତ୍ରୀ ନେପୁର, ବୃଦ୍ଧା ମା’ ଓ ଦୁଇ କୁନି କୁନି ଛୁଆରେ ତାଙ୍କର ହସ ଖୁସିର ସଂସାର । ଲୋଚନ ଜଣେ ଗରିବ ଖଟିଖିଆ ଶ୍ରେଣୀର ନିଜ ପରିବାର ଭରଣ ପୋଷଣ ପାଇଁ ଗତ ୧୩ ତାରିଖ ଦିନ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ହେଲେ ୧୬ ତାରିଖ ଦିନ ଖବର ଶୁଣିବାକୁ ପାଇଲେ ତାଙ୍କର ସ୍ତ୍ରୀ ନେପୁର ଜଣେ ବିବାହିତ ପୁରୁଷ ସହିତ ଫେରାର ହୋଇଯାଇଛି । ଘରେ ତାଙ୍କର ବୁଢୀ ମା’ ସହିତ ଦୁଇ କୁନି କୁନି ଛୁଆ କଣ କରିବେ ତାଙ୍କୁ କିଛି ବାଟ ଦେଖା ଯାଉ ନଥିଲା । ଆନ୍ଧ୍ରପ୍ରଦେଶରୁ ଘରକୁ ଫେରିଲା ପରେ ତାଙ୍କର ଦୁଇ ଛୁଆର କାନ୍ଦ ବୋବାଲି ତାଙ୍କୁ ସ୍ତବ୍ଧ କରିଦେଇଥିଲା । ସ୍ତ୍ରୀର ପ୍ରତାରଣା ଅପେକ୍ଷା ବେଶି ବାଧୁଥିଲା ଦୁଇ ଛୁଆର କାନ୍ଦଣା । ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ସ୍ୱାମୀକୁ ଧୋକା ଦେଇ ପାରେ ହେଲେ ନିଜ ଗର୍ଭରୁ ଜନ୍ମ ଦେଇଥିବା କୋମଲମତି ଛୁଆ ଛାଡି ଚାଲିଯିବା ସେ ସହଜରେ ଗ୍ରହଣ କରିପାରୁ ନଥିଲେ । ଏବେ ଦୁଇ ଛୁଆ ପାଇଁ ସେ ହିଁ ମା ଓ ବାପା । ଲୋଚନ ଦାରିଦ୍ରର ସିମାରେଖାରେ । ସେ ଏବେ ଭଂଗା ଦଦରା ଘରେ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ଜମି ବାଡି ଖଣ୍ଡିଏ ନାହିଁ ।ବୁଢୀ ମା’ର ଭତ୍ତା ଓ କିଛି ରାସନ ହିଁ ତାଙ୍କର ଭରସା । ପର ଘରେ ମୂଲ ଖଟିଲେ କିମ୍ବା ଦାଦନ ଗଲେ ହିଁ ତାଙ୍କର ପରିବାର ଭରଣ ପୋଷଣ ହୋଇଥାଏ । ସ୍ତ୍ରୀ ଛାଡି ଗଲା ପରେ ଦୁଇ କୋମଲମତି ଛୁଆ ଛାଡି କାମକୁ ଯିବା ପାଇଁ ସମ୍ଭବ ନୁହେଁ । ଏନେଇ ଖଡିଆଳ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସରକାରୀ ସହାୟତା ସହ ବ୍ୟକ୍ତିଗତ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.