
- ମୀନକେତନ ବାରଲେବଡ଼ିଆ
ଗାଁ ଠାକୁରାଣୀଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ଥିବା ସତ୍ୱେ ପୁଲା ଦିନୁ ନିଜକୁ ନିଜେ ନାସ୍ତିକ ମନେ କରୁଥିଲି । ମନ୍ଦିର ଓ ଠାକୁର ପ୍ରତି ବିମୁଖ ଥିଲା ମୋ’ ମନ । କିନ୍ତୁ ମୋର ଯେତେବେଳେ ହୃଦ୍ବୋଧ ହେଲା ଯେ ସଂସାର ସାରା ଆମ ଚତୁଃପାଶ୍ୱର୍ରେ ଆତଯାତ କରୁଥିବା ମଣିଷଙ୍କ ପ୍ରତି ଭରସା ତୁଟି ତୁଟି ଆସୁଛି, ସେଇଦିନଠୁ ମନ୍ଦିର ଓ ଠାକୁର ପ୍ରତି ଅତ୍ୟଧିକ ଆକୃଷ୍ଟ ହେଲି । ସୁଯୋଗ ପାଇଲେ ଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଆସୁଥିଲି । ପ୍ରଭୁଙ୍କ ଘୋଷଯାତ୍ରା ଦେଖିବାର ସୁଯୋଗ କିନ୍ତୁ ମିଳି ନ ଥିଲା ।
ବଲାଙ୍ଗିରରୁ ଭୁବନେଶ୍ୱରକୁ ବଦଳି ହେଇ ଆସିବା ପରେ ଅନେକ ଥର ଭାବିଛି, ଏଇ ଥର ହିଁ ରଥଯାତ୍ରାରେ ତିନି ଦିଅଁଙ୍କ ରଥ ସ୍ୱହସ୍ତରେ ଟାଣିବି । ଭୁବନେଶ୍ୱରରେ ତିନି ବର୍ଷରୁ ଅଧିକ କାଳ ରହିଲା ପରେ ବି ସମ୍ଭବ ହେଇ ନଥିଲା । କୌଣସି କାରଣରୁ ରଥଯାତ୍ରା ଦେଖିଯିବାଠୁ ନିଜକୁ ନିବୃତ୍ତ ରଖୁଥିଲି । ଠାକୁରଙ୍କ ଇଚ୍ଛା ବୋଧହୁଏ ସେଇୟା ଥିଲା । ଶୁଣିଛି, ଭାଗ୍ୟରେ ନଥିଲେ ରଥାରୁଢ଼ ତିନିମୁର୍ତ୍ତି ଦର୍ଶନ କରିବାର ସୌଭାଗ୍ୟ ମିଳେ ନାହିଁ । ସେଇ ସୌଭାଗ୍ୟର ଦିନଟି ଆସିଲା ମୋ’ ଭାଗ୍ୟକୁ ୨୦୧୬ ରଥଯାତ୍ରା ବେଳେ । ଖୁସିରେ ଆତ୍ମହରା ହେଇପଡ଼ିଥିଲି ଯେତେବେଳେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର ଦଉଡ଼ି ନିଜ ହାତରେ ସ୍ପର୍ଶ କଲି । ମୋତେ ଲାଗିଥିଲା କୋଟି ଜନ୍ମର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତ ହେଇଗଲା । ଭକ୍ତି ଭାବରେ ଗଦଗଦ ହେଇ ଗାଇ ପକାଇଲି – “ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ …..’ । ରଥ ପଥ ସବୁ ମୋତେ ଲାଗୁଥିଲା ଜଗନ୍ନାଥମୟ । ବଡ଼ଦାଣ୍ଡ ପ୍ରକମ୍ବିତ ହୋଇଉଠୁଥିଲା ଜଗନ୍ନାଥଙ୍କର ଜୟ ଜୟକାର ଧ୍ୱନିରେ । ଲକ୍ଷ ଲକ୍ଷ ଭକ୍ତଙ୍କ ତୁଣ୍ଡରେ ଗୋଟିଏ ସ୍ୱର – ଜୟ ଜଗନ୍ନାଥ! ଜୟ ଜଗନ୍ନାଥ! ଜଗନ୍ନାଥ ସ୍ୱାମୀ କୀ ଜୟ!
ଦାସିଆ ବାଉରୀ ହାତରୁ ଶ୍ରୀଫଳ ଛଡ଼ାଇ ନେଲା ଭଳି ଭିଡ଼ ଭିତରେ ମୋ’ ହାତରୁ କିଏ ମୋର ମୋବାଇଲ ଛଡ଼ାଇ ନେଇଗଲା । ଦାସିଆ ଯେମିତି ଜଗନ୍ନାଥ ପ୍ରେମରେ ତର୍ଲ୍ଲୀନ ହୋଇ ଜାଣି ପାରିଲେ ନାହିଁ, ମୁଁ ବି ଜାଣି ପାରିନଥିଲି । ମୋର ମନେ ହେଉଥିଲା ମୋ ହାତରେ ଶ୍ରୀଫଳ, ମୁଁ ବଢ଼ାଇ ଦେଇଛି ପ୍ରଭୁଙ୍କ ଆଡେ଼ ଏବଂ ଲୀଳାମୟ ନନ୍ଦୀଘୋଷରୁ ଓହ୍ଲାଇ ଆସି ମୋ’ ହାତରୁ ଶ୍ରୀଫଳ ଛଡ଼ାଇ ନେଉଛନ୍ତି । ମୁଁ ବେନି ଭୁଜ ପ୍ରସାରି ଗାଇ ଚାଲିଛି – “ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ…..!’ ପ୍ରକୃତିସ୍ଥ ହେଲାବେଳକୁ ମୋ’ ହାତ ମୋବାଇଲ ଶୂନ୍ୟ ।

ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ । ଏଇ ପଦଟିଏ କଥା ହିଁ ମୋତେ ଟାଣି ନେଇଥିଲା ଜଗା ପାଖକୁ । ବୈକୁଣ୍ଠ ପ୍ରାପ୍ତି ହେବାର ଆଶା ମୋ’ ଭିତରେ ପ୍ରସ୍ଫୁଟିତ ହୋଇ ଉଠୁଥିଲା । ଆମ ଶାସ୍ତ୍ର ଅନୁସାରେ ଆତ୍ମା ପରମାତ୍ମା ସହିତ ଲୀନ ହେବାଯାଏ ଏକ ଚକ୍ରାକାର ପ୍ରକ୍ରିୟାରେ ଚାଲେ । ତାରି ଭିତରେ ଆତ୍ମାକୁ ବିଭିନ୍ନ ରୂପରେ ଜନ୍ମ ନେବାକୁ ହୁଏ । କର୍ମ ଅନୁସାରେ ସିଏ ବିଭିନ୍ନ ରୂପରେ ଜନ୍ମ ଲାଭ କରି କଷ୍ଟ ଭୋଗେ । ପରମାତ୍ମା ଯାଏ ପହଂଚିବାକୁ ତାକୁ ଯୁଗ ଯୁଗ ଲାଗିଯାଏ । କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଥରକରେ ବୈକୁଣ୍ଠ ପ୍ରାପ୍ତି ହୁଏ । ଜଗନ୍ନାଥଙ୍କୁ ଦର୍ଶନ କରୁ କରୁ ମୋର ନ ହୋଇ ମୋର ମୋବାଇଲର ବୈକୁଣ୍ଠ ପ୍ରାପ୍ତି ହୋଇଗଲା ।
ସତ କହୁଛି ଜଗତ ଠାକୁର ! ମୋତେ ଖୁବ ଇଚ୍ଛା ହେଉଥିଲା କବିସୂର୍ୟ୍ୟ ବଳଦେବଙ୍କ ଭଳି ସେଠାରେ ଗାଳି ଦେବାକୁ – “…… ତୁମ୍ଭକୁ ଜଗନ୍ନାଥ ! ଆଜ ମୋ’ ମନୋରଥ ଭରତି ଦେବି ଗାଳି, ହେ କୃପାନିଧି ।’ ତୁମେ ଥାଉ ଥାଉ ମୋର ମୋବାଇଲ ଉଭାନ ହେଇଗଲା, କେମିତି ସହ୍ୟ କଲ ଠାକୁରେ! ତମେ ଲୀଳାମୟ ଲୀଳା ଭିଆଇଲ ବୋଧହୁଏ; ସେଥିପାଇଁ ତ ଆଜି ଯାଏ ଶୟନେ ସପନେ ଜାଗରଣେ ତୁମ କଥା ହିଁ ଭାବୁଛି!
ସତରେ ତୁମକୁ ଶାସ୍ତ୍ରରେ, ଶବ୍ଦରେ, ନୀତିରେ, ନିୟମରେ, ଗୀତରେ, ଶ୍ଲୋକରେ, ଛୁଆଁରେ, ଅଛୁଆଁରେ, ପାପରେ, ପୁଣ୍ୟରେ ବାନ୍ଧି ହେବ ନାହିଁ । ତମେ ଭାବର ଠାକୁର । ଯିଏ ତମ ସାଥେ ଭାବ ରଖିଲା ତାର ନିକଟତର ହେଲ । ଭାବକୁ ନିକଟ ଅଭାବକୁ ଦୂର । ତପୀ ପାପୀ, ଚୋର ଚଣ୍ଡାଳ ସଭିଏଁ ତୁମରି ଭକ୍ତ । ମୋବାଇଲ ଚୋର ବି ନିଶ୍ଚେ ତୁମର ଭକ୍ତ ହୋଇଥିବ ।
ଶୁଣିଛି, ରାଜା ପୁରୁଷୋତ୍ତମ ଦେବ କାଂଚି ରାଜାଠାରୁ ପରାଜିତ ହେବା ପରେ ଅପମାନିତ ହୋଇ ଫେରି ଆସି ତୁମର ଚରଣାଶ୍ରିତ ହେଲେ । ତୁମେ ଦୁଇ ଭାଇ କଳାଘୋଡ଼ା ଧଳାଘୋଡାରେ ଧାଇଁ ଯୁଦ୍ଧ କଲ । ପୁରୁଷୋତ୍ତମ ଦେବ କାଂଚି ରାଜାକୁ ପରାଜିତ କରି ରାଜକନ୍ୟା ପଦ୍ମାବତୀକୁ ଆଣିଲେ । ପରେ ତାଙ୍କୁ ପାଟ୍ଟରାଣୀ କଲେ । ଭକ୍ତ ଭାବରେ ମୋ’ ଅଧିକାର ଜାହିର କରୁଛି ଠାକୁରେ! ତମେ କେଉଁ ବେଶରେ ଆସି ମୋ ମୋବାଇଲ ହେଲେ ଠାବ କରିଥା’ନ୍ତ! ଭକ୍ତ ପାଇଁ କେତେ କଣ କରିପାର । ଗଣିକା ଯମୁନାଠୁ ଫେରି ରଥ ଉପରେ ଚଢି ଯାଇଥିବାରୁ, ଦଇତା ପତିଠୁ ତଡ଼ା ଖାଇଥିବା ତମର ପରମ ଭକ୍ତ ବଳିଆ ଦାସ ପାଇଁ ରଥରୁ ଓହ୍ଲାଇ ଯାଇ ବାଲି ରଥରେ ବାନ୍ଧି ହେଇପାର । ଦେବଦାସୀ ଲାବଣ୍ୟପ୍ରଭା ଓ ତମର ପରମ ଭକ୍ତ ତଳିଛୁ ମହାପାତ୍ରକୁ ମହାରାଜ ଭାନୁଦେବଙ୍କଠାରୁ ବଂଚାଇବା ପାଇଁ ମହାପ୍ରଭୁ ତମ ପୃଷ୍ଠଦେଶରେ ଘନ କଳାକେଶର ଲହଡା ଭଙ୍ଗାଇ ପାର । ମୋ ବେଳକୁ କିଆଁ ନିର୍ଦ୍ଦୟ ହୋଇଗଲ । ସତ କହିବାକୁ ଗଲେ ତମ ପ୍ରତି ମୋର ଅନୁରାଗ ବଢି ବଢି ଚାଲିଛି । ଯେହେତୁ ତମେ ସ୍ନେହ ଶ୍ରଦ୍ଧାର ସୀମାହୀନ ସାଗର । କବିଙ୍କ ଭାଷାରେ – ପ୍ରେମ ଭାବେ ଯା’ର ଅନ୍ତର ପୂରିତ, ସର୍ବପ୍ରାଣୀ ହୃଦ ତା’ ହୃଦେ ଅଙ୍କିତ ।
ହେ ପ୍ରଭୁ ! ତମେ ନିଶ୍ଚେ ଭାବୁଥିବ ମୁଁ ଏଇ ପାର୍ଥିବ ପଦାର୍ଥରେ ମୋହାଛନ୍ନ କାହିଁକି? ଯିଏ ପାର୍ଥିବ ଜଗତକୁ ପରିତ୍ୟାଗ କରିପାରିବ ନାହିଁ, ସେ ତମର ଅନୁଗାମୀ ହୋଇ ପାରିବ କେମିତି! ବର୍ତମାନ ଯୁଗରେ ମୋବାଇଲ ଯେ ନିତାନ୍ତ ଦରକାରୀ ଏ କଥା ତମକୁ କେମିତି ବୁଝେଇବି! ହଁ ମନେ ପଡିଗଲା, ଦ୍ୱାପର ଯୁଗରେ ତମରି କଥା । ଥରେ ତମର ତୁଚ୍ଛ ବାଉଁଶର ବଂଶୀ ଖଣ୍ଡିକ ହଜି ଯାଇଥିଲା ଯେ ଖାଇବା ପିଇବା ଛାଡ଼ି ଦେଇଥିଲ । ତମର ପ୍ରାଣ ପ୍ରତିମା ଶ୍ରୀରାଧାଙ୍କୁ କେତେ କାକୁତି ମିନତି ହେଇ କହୁଥିଲ – ଗୋ ରାଧେ ! ବଂଶୀଟି ଆମର ଦିଅ । ହସ୍ତର କଙ୍କଣ ଗଳାରତ୍ନ ହାର ଯାହା ଇଚ୍ଛା ତାହା ନିଅ ….. । ଏବେ ନିଶ୍ଚୟ ବୁଝିପାରୁଥିବ କଳିଯୁଗରେ ମୋବାଇଲର ମହତ୍ୱ ।
ଆମେ ତମକୁ ଖୁବ ଅଳିଅର୍ଦ୍ଦଳି କଲା ପରେ ବି ଆମର କଥାକୁ କର୍ଣ୍ଣପାତ କଲ ନାହିଁ । ଆମେ ଭାବିଲୁ ତମେ ତମର ବାକି ନଅ ଅବତାରରେ ବହୁତ କାମ କରିଛ ତ’ ଦଶମ ଅବତାରରେ ଟିକେ ବିଶ୍ରାମ ନେଇଛ । ସରକାରୀ ଚାକିରିରୁ ଅବସର ନେଲା ଭଳି ତମର ଦଶମ ଅବତାର । ନୁହେଁ କି? ଶ୍ରୀମନ୍ଦିରରେ ଆରାମରେ ବସି ଷାଠିଏ ପଉଟି ଭୋଗ ଖାଉଛ, ଦିନସାରା ମଣିଷ ଭଳି ଦୈନିନ୍ଦିନ କାର୍ୟ୍ୟ ସବୁ କରୁଛ । ଶୋଇବା ଆଗରୁ ଦେବଦାସୀଠାରୁ ଗୀତଗୋବିନ୍ଦ ଶୁଣି ଆରାମରେ ଶୋଇଯାଉଛ । ବଡ଼ ବଡ଼ ଆଖିରେ ସବୁ ଦେଖୁଛ ହେଲେ କିଛି କରୁନ । ତୁମର ଅପାରଗତା ଦେଖି ସେଦିନ ମୁଁ ବାଧ୍ୟ ହେଇ ଗଲି କୁମ୍ଭାରପଡ଼ା ଥାନାକୁ, ଅଭିଯୋଗ ଲେଖିବା ପାଇଁ ।
ତମେ ଯେମିତି ସବୁ ଶୁଣି କିଛି କରୁନାହଁ, କୁମ୍ଭାରପଡ଼ା ଥାନା ଅଧିକାରୀ ମଧ୍ୟ ସବୁ ଶୁଣିଲା ପରେ କିଛି ପଦକ୍ଷେପ ନେବା ସପକ୍ଷରେ ନ ଥିଲେ । ତମ ପାଖେ ପାଖେ ରହି ସେ ବି ସବୁ ଶିଖିଗଲେଣି । ତମେ ସଂସାରର ମୁରବୀ, ସେ ଥାନାର ମୁରବୀ । ତମେ ଚାହିଁଲେ ସଂସାର ଚାଲିବ, ସେ ଚାହିଁଲେ ଥାନା ହଲିବ, ଆଉ ଦୁହେଁ ନ ଚାହିଁଲେ ……. । ମୁଁ ଯାଇ ସବୁ କଥା ଥାନାବାବୁଙ୍କୁ କହିଲା ପରେ ଏଫ୍ଆଇଆର ଦେବା ପାଇଁ କହିଲେ । କାଗଜ ଖଣ୍ଡେ ମାଗିବାରୁ ଝିଙ୍ଗାସି ହେଇ କହିଲେ, ଏଠି କିଛି ମିଳିବ ନାହିଁ ଯାଅ ବହି ଦୋକାନରୁ କିଣି ଆଣ । ମୁଁ ଜାଣିବାରେ ଏଫ୍ଆଇର ଦେବା ପାଇଁ ଥାନାରେ ଏକ ଫର୍ମ ମିଳେ, ଯାହାକି ଅଭିଯୋଗକାରୀକୁ ମାଗଣାରେ ଦେବା କଥା । ତଥାପି ତାଙ୍କ ସହିତ ଯୁକ୍ତିତର୍କ ନ କରି ନିକଟସ୍ଥ ପୁସ୍ତକ ଦୋକାନରୁ କାଗଜ ଖଣ୍ଡେ କିଣି ଆଣି ଅଭିଯୋଗ ଲେଖିବା ଆରମ୍ଭ କଲି । ସେତିକିବେଳେ ଥାନାବାବୁ ନିଜ ଆସନରୁ ଉଠି ଯାଇଥିଲେ ଓ ମଧ୍ୟମ ଚେହେରାର ଜଣେ ଅଧିକାରିଣୀ ଆମ ସାମ୍ନାରେ ଉଭା ହେଇ ସାରିଥିଲେ । ମହାଶୟାଙ୍କୁ ମୋ ଗୁହାରି ଜଣାଇଲି, ନନ୍ଦିଘୋଷ ରଥ ପାଖରୁ ମୋର ମୋବାଇଲ ଚୋରି ହୋଇଗଲା ଅଭିଯୋଗ ଦେବା ପାଇଁ ଆସିଛି କହିଲି । ତାଙ୍କ ଶ୍ରୀବଦନକୁ କୁତ୍ସିତ କରି ଗୁଣୁ ଗୁଣୁ ହେଲେ – “ଶଃ … ନିଜ ଅବହେଳାରୁ ମୋବାଇଲ ହଜାଇବେ, ଆମକୁ ଟେନ୍ସନ୍ ଦେବେ ।’ ମୋତେ ଧମକେଇବା ସ୍ୱରରେ କହିଲେ- ମୋବାଇଲ ହଜିଗଲା ବୋଲି ଲେଖନ୍ତୁ, ଚୋରି ହେଇଛି ଲେଖିଲେ ଏଫ୍ଆଇଆର ରଖିବି ନାହିଁ । ସେଇୟା ହିଁ ଲେଖିଲି । ଅପେକ୍ଷା କରିବା ପାଇଁ କହିଲେ କିଛି ସମୟ । ଦୀର୍ଘ ଦୁଇଘଂଟା କାଳ ଅପେକ୍ଷା କଲା ପରେ କହିଲେ- ଯାଆନ୍ତୁ, ମୋବାଇଲ ମିଳିଲେ ଆପଣଙ୍କୁ ଫୋନ ଦ୍ୱାରା ଜଣାଇ ଦିଆଯିବ ।
ସେଦିନ ଶୂନ୍ୟ ହସ୍ତରେ ଫେରି ଆସିଥିଲି ସତ, ହେଲେ ତମକୁ ରଥ ଉପରେ ଦର୍ଶନ କରି ଜନ୍ମ ଜନ୍ମାନ୍ତରର ଆନନ୍ଦ ପାଇଥିଲି । ତମକୁ ଅତି ଆପଣାର ଭାବି ହାଲୁକା କଥାଟେ ଲେଖିଦେଲି । ଦୋଷ ଧରିବନି ମହାବାହୁ ।
ମୋବାଇଲ ନଂ.୯୪୩୭୧୩୨୬୬୨