pakka

ଆରମ୍ଭ ହେଲା କୋଣାର୍କ ଉତ୍ସବ

bbehera

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଆଲୋକମାଳାରେ ସୁସଜ୍ଜିତ ଓ ସବୁଜିମା ଭରା ମୁକ୍ତାକାଶ ରଙ୍ଗମଞ୍ଚରେ ଗୁରୁବାର କୋଣାର୍କ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିଜର ବାର୍ତ୍ତା ଦେବା ସହ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଦେଶ ବିଦେଶର ପର୍ଯ୍ୟଟକମାନେ ଏହି କଳାକ୍ଷେତ୍ରକୁ ଆସି ଉତ୍ସବକୁ ମନଭରି ଉପଭୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଚନ୍ଦ୍ରଭାଗାଠାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଫିତା କାଟି ଓ ବେଲୁନ ଉଡ଼ାଇ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀ ସହଯୋଗରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ମୁକ୍ତାକାଶ ରଙ୍ଗମଞ୍ଚରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, କୋଣାର୍କ ପୌରାଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଏବଂ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆରମ୍ଭ କରିଥିଲେ । ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମାଲେସିଆର ସୁତ୍ର ଫାଉଣ୍ଡେସନର ରାମିଲ ଇବ୍ରାହିମ ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପ୍ରଥମ ଚରଣରେ ପରିବେଷଣ କରିଥିଲେ ଜୟରାମ । ରାମାୟଣର କଥାବସ୍ତୁକୁ ନେଇ ଶ୍ରୀରାମ ଧ୍ୟାନ, ରାମଲୀଳା, ସୀତା ସ୍ୱୟଂମ୍ବରର ସୁନ୍ଦର ଅବତାରଣା କରିଥିଲେ । ଶାସ୍ତ୍ରୀୟ ନୃତ୍ୟର ଦ୍ୱିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ରାଜେନ୍ଦ୍ର ଗଙ୍ଗାନି ଓ ସାଥୀ କଳାକାରମାନେ ଆକର୍ଷଣୀୟ କଥକ ନୃତ୍ୟ ପରିବେଷଣ କରିଥିଲେ । ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦ୍‌ଘାଟନରେ ବ୍ରାଣ୍ଡ ଆମ୍ବାସଡ଼ର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ । ଦେଶ ବିଦେଶର ଶତାଧିକ ବାଲୁକା ଶିଳ୍ପୀ ସଂସ୍କୃତି ଓ ପର୍ଯ୍ୟଟନ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିଥିଲେ । ବାଲୁକା କଳା ଉତ୍ସବରେ ଜି-୨୦ ଲୋଗୋ ଓ ଥିମ୍‌ ପ୍ରଦର୍ଶିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଓ ନାଜିଆ ଆଲମ । ସେହିଭଳି ଅର୍ବାନ ହାଟ ପରିସରରେ ଆୟୋଜିତ ହୋଇଛି ହସ୍ତଶିଳ୍ପ ପ୍ରଦର୍ଶନୀ । ଏଥିରେ ବିଭିନ୍ନ ସ୍ଥାନରୁ ଶତାଧିକ ଷ୍ଟଲ ପଡ଼ିଛି । ହେଲିପ୍ୟାଡରେ ମୀନା ବଜାର ସହ ୪ଟି ଅପେରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି ।

Leave A Reply

Your email address will not be published.

nineteen − four =