jayashree

କଳିଙ୍ଗ ରେଜିମେଣ୍ଟ ଗଠନ ଦାବି ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଉତ୍ତର

ରାଉରକେଲା, (କେପିଏନ୍‌ଏସ୍‌) : ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ ଦାବି ନେଇ ରାଉରକେଲା ଜାଗରଣ ମଞ୍ଚର ଅଧ୍ୟକ୍ଷ ଅମିତାଭ ସାମଲଙ୍କ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରାଯାଇଥିବା ପ୍ରତିନିଧିତ୍ୱ ସମ୍ପର୍କରେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ, ସାମରିକ କାର୍ଯ୍ୟ ବିଭାଗ ପକ୍ଷରୁ ଆଧିକାରିକ ଉତ୍ତର ଦିଆଯାଇଛି । ୨୯ ସେପ୍ଟେମ୍ବର ୨୦୨୬ ତାରିଖରେ ଜାରି ହୋଇଥିବା ଚିଠିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ସରକାରଙ୍କ ନୀତି ଅନୁଯାୟୀ ବର୍ଗ, ଜାତି, ଅଞ୍ଚଳ କିମ୍ବା ଧର୍ମ ନିର୍ବିଶେଷରେ ସମସ୍ତ ଭାରତୀୟ ନାଗରିକ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଯୋଗ୍ୟ । ମନ୍ତ୍ରଣାଳୟ ଆହୁରି ସ୍ପଷ୍ଟ କରିଛି ଯେ, ସ୍ୱାଧୀନତା ପରଠାରୁ କୌଣସି ନିର୍ଦ୍ଧିଷ୍ଟ ବର୍ଗ, ସମ୍ପ୍ରଦାୟ କିମ୍ବା ଧର୍ମ ପାଇଁ ନୂତନ ରେଜିମେଣ୍ଟ ଗଠନ ନକରିବା ଭାରତ ସରକାରଙ୍କ ନୀତି ରହିଆସିଛି । ବର୍ତ୍ତମାନ ସମସ୍ତ ଭାରତୀୟ ନାଗରିକଙ୍କୁ ସେନାରେ ନିଯୁକ୍ତି ପାଇଁ ସମାନ ଓ ନ୍ୟାୟସଙ୍ଗତ ସୁଯୋଗ ସୁନିଶ୍ଚିତ କରିବା ନିମନ୍ତେ ପର୍ଯ୍ୟାପ୍ତ ପଦବୀ/ନିଯୁକ୍ତି ସୁଯୋଗ ଉପଲବ୍ଧ କରାଯାଉଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅବର ସଚିବ ପ୍ରବୀଣ ଶୁକ୍ଳାଙ୍କ ପକ୍ଷରୁ ଏହି ଉତ୍ତର ଜାରି କରାଯାଇଛି । ଏହାର ଏକ ନକଲ ରାଷ୍ଟ୍ରପତି ସଚିବାଳୟ, ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀର ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ପଠାଯାଇଛି । ଅମିତାଭ ସାମଲ କହିଛନ୍ତି ଯେ, କଳିଙ୍ଗ ରେଜିମେଣ୍ଟ ଗଠନ ସମ୍ପର୍କିତ ଏହି ଆଧିକାରିକ ଉତ୍ତର ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାବାସୀଙ୍କ ଭାବନା ଏବଂ ଦୀର୍ଘଦିନର ଦାବିକୁ ଉପଯୁକ୍ତ ମଞ୍ଚରେ ଆଗକୁ ରଖାଯିବ ଏବଂ ଏହି ବିଷୟରେ ଆବଶ୍ୟକ ପ୍ରୟାସ ଜାରି ରହିବ ।

Leave A Reply

Your email address will not be published.