ଲୋଇସିଂହା ବ୍ଲକରେ ୩ ଜଣ ଯନ୍ତ୍ରୀଙ୍କ ଭରସାରେ ଚାଲିଛି ଉନ୍ନୟନମୂଳକ କାମ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଉନ୍ନୟନମୂଳକ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । କଙ୍କଡାକୁ ଗୋଳିଆ ପାଣି ସୁହାଇଲା ଭଳି ବ୍ଲକର ୨୦ଟି ଯାକ ଗ୍ରାମ ପଞ୍ଚାୟତ ପାଇଁ ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ୮ଟି, ଆଉ ଜଣଙ୍କୁ ୭ଟି ଓ ମହିଳା ଯନ୍ତ୍ରୀଙ୍କୁ ମିଳିଛି ୫ଟି ଗ୍ରାମ ପଞ୍ଚାୟତର ଦାୟିତ୍ୱ । ଜଣେ ଜଣେ ଯନ୍ତ୍ରୀ ଏକାଧିକ ପଂଚାୟତର ଉନ୍ନତିମୂଳକ କାର୍ଯ୍ୟ ତଦାରଖ କରୁଛନ୍ତି । ସମୟ ଥିଲା ଜଣେ କନିଷ୍ଠ ଯନ୍ତ୍ରୀ ଗୋଟିଏ କିମ୍ବା ଦୁଇଟି ପଞ୍ଚାୟତର ଦାୟିତ୍ୱ ନେଇ ମଧ୍ୟ ଉନ୍ନତିମୂଳକ କାମକୁ ଠିକ୍‌ ଭାବରେ ତଦାରଖ କରିବା ପାଇଁ ସମୟ ନ ଥିଲା । ଫଳରେ ନିମ୍ନମାନର କାମ ହେଉଥିବା ନେଇ ବାରମ୍ବାର ଅଭିଯୋଗ ମଧ୍ୟ ହେଉଥିଲା । କାରଣ ସେତେବେଳେ ଲୋଇସିଂହା ବ୍ଲକରେ ଥିବା କରିତକର୍ମା ବିଡ଼ିଓ ଜଣକ ସବୁକଥାକୁ ରଫାଦଫା କରି ଦେଉଥିବା ନେଇ ଚର୍ଚ୍ଚା ହେଉଥିଲା । ଜନସାଧାରଣଙ୍କ ଅଭିଯୋଗ ଅଭିଯୋଗରେ ହିଁ ରହି ଯାଉଥିଲା । ବର୍ତ୍ତମାନ ୨୦ଟି ପଞ୍ଚାୟତରେ ୩ ଜଣ କନିଷ୍ଠ ଯନ୍ତ୍ରୀ, ତାହା ପୁଣି ବ୍ଲକ କାର୍ଯ୍ୟାଳୟରେ ନ ରହି ବଲାଙ୍ଗିରରୁ ଯିବା ଆସିବା କରୁଛନ୍ତି । ଲୋଇସିଂହା ବ୍ଲକ ମୁଖ୍ୟାଳୟରୁ ଗୋଟିଏ ଗୋଟିଏ ପଂଚାୟତର ଦୂରତା ୩୫ କିମିରୁ ଅଧିକ ହୋଇଥିବା ବେଳେ ଯନ୍ତ୍ରୀମାନେ କେତେବେଳେ କାର୍ଯ୍ୟ ତଦାରଖରେ ଯାଉଛନ୍ତି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ମନ ମୁତାବକ କାମ ତଦାରଖ ହେଉଥିବା ବେଳେ ବିନା ଯାଞ୍ଚରେ ଯନ୍ତ୍ରୀମାନେ ଘରେ ବସି ବିଲ ପାସ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହେଉଛି । ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସିଂହଭାଗ ବାଟମାରଣା ହେବା ସହିତ ଠିକାଦାର-ଯନ୍ତ୍ରୀଙ୍କ ସଲା ସୁତୁରାରେ କାମ ସରିଯାଉଛି । ବିଭାଗୀୟ ତଥ୍ୟ ମୁତାବକ ଲୋଇସିଂହା ବ୍ଲକର କୁଶଙ୍ଗ, କୁଶମେଲ, ଉପରବାହାଲ, ସରଗାଡ଼, ଲୋଇସିଂହା, କୁଟେନପାଲି, ଜିଏସ ଡୁଙ୍ଗୁରିପାଲି ଓ ତଲିଉଡାର ପଞ୍ଚାୟତ ଦାୟିତ୍ୱରେ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ମହାରଣା ରହିଥିବା ବେଳେ ହୀରାପୁର, ବାଦିମୁଣ୍ଡା, ମାଗୁରବେଡା, ରତାଖଣ୍ଡି, ରେଙ୍ଗାଲି, ଝାରମୁଣ୍ଡା ଓ ବାନୀପାଲି ଦାୟିତ୍ୱରେ ଯୁଧିଷ୍ଠିର ଦେହୁରୀ ଏବଂ ବୁଢୀପଦର, ବାଦୀବାହାଲ, କନ୍ଦାଜୁରୀ, ବୁର୍ଡା ଓ ଯୋଗୀସର୍ଡା ଦାୟିତ୍ୱରେ ଅଛନ୍ତି ଏକମାତ୍ର ମହିଳା କନିଷ୍ଠ ଯନ୍ତ୍ରୀ କବିତା ଦାସ । ଅନେକ ସମୟରେ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ଯନ୍ତ୍ରୀଙ୍କ କୋଠରୀ ବନ୍ଦ ରହୁଥିବା ବେଳେ କାର୍ଯ୍ୟ ତଦାରଖ କରୁଛନ୍ତି ନା ଘରେ ବସି ବିଲ କରିବା ପାଇଁ ଡିଲ କରୁଛନ୍ତି, ବୁଝା ପଡୁ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । କାମ ଠିକ୍‌ ହେଉ ବା ନହେଉ, ଠିକାଦାରଙ୍କ ମର୍ଜି ମୁତାବକ ମାପ କରାଯାଇ ବିଲ ପାସ ହେଉଛି । ଏଭଳି କ୍ଷେତ୍ରରେ ବ୍ଲକର ଅଧିକାଂଶ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ପ୍ରାୟ ୪/୫ ଟି ପଂଚାୟତରେ ଆଦୌ କାମ କରା ନ ଯାଇ ମିଥ୍ୟା ବିଲ ପ୍ରସ୍ତୁତ କରାଯାଇ ପ୍ରାୟ ଦେଢ଼ କୋଟି ଆତ୍ମସାତ କରାଯାଇଥିବା ନେଇ ଜନୈକ ବ୍ଲକ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏହି ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.