
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟାତୀରସ୍ଥ ପୂର୍ଣ୍ଣଗିରି ଶୀର୍ଷରେ ଅବସ୍ଥାନ କରିଥିବା ସ୍ତନପୀଠେ ପୂଜିତା ବିଶ୍ୱବନ୍ଦନୀୟା ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ୪ର୍ଥ ପାଳି ମଙ୍ଗଳବାର ଯାତ୍ରା ବିନା ଭକ୍ତରେ ବିଧିବଦ୍ଧ ଭାବେ ନୀତିକାନ୍ତି ସହ ସମ୍ପନ ହୋଇଛି । ଦେବୀଙ୍କ ବାସନ୍ତୀକ ଦୁର୍ଗାପୂଜା ତଥା ବାସନ୍ତିକ ନବରାତ୍ର ପୂଜା ଅବସରରେ ମହାନବମୀ ପୂଜା ବିଧି ସମ୍ପାଦିତ ହୋଇଯାଇଛି । ଦେବୀ ଦଶଭୂଜା ବାସନ୍ତୀକ-ଦୁର୍ଗାବେଶରେ ମା’ ତାରାତାରିଣୀଙ୍କ ପୂଜନୋତ୍ସବ ସମାହିତ ହୋଇଛି । ମଧ୍ୟରାତ୍ରି ୨ଘ.୩୦ ମିନଟରେ ମା’ଙ୍କର ମଙ୍ଗଳ ଆଳତୀ ପ୍ରତ୍ୟୁଷରେ ମାର୍ଜଣା, ତଡପ ଲାଗି, ମଇଲମ, ଦେବୀଙ୍କ ବେଶ, ଆବାହନ, ରାଜ-ଆଳତୀ ତଥା ପୂଜା ହୋମ ଆଦି ଷୋଡଶ ପୂଜାର୍ଚ୍ଚନା ବିଧିମତେ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଦେବୀଙ୍କ ଆରତୀ, ବାଳଭୋଗ, ବିଶ୍ରାମ ଆଦି ସମ୍ପନ ହୋଇଛି ବୋଲି ପୂଜକ ବାପୁଜୀ ରଣା ସୂଚନା ଦେଇଛନ୍ତି । ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତାରାତାରିଣୀ ଟ୍ରଷ୍ଟ ବୋର୍ଡ଼ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ ପ୍ରମୁଖ ତାରାତାରିଣୀ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ, କମିଟୀର ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସୂଚାରୁ ରୂପେ କାର୍ୟ୍ୟ ସମ୍ପାଦନ ହୋଇଥିଲା । ଜିଲ୍ଲା ପ୍ରଶାସନର କୋରନା କଟକଣା ଲାଗି ଅଗଣିତ ଭକ୍ତଙ୍କୁ ସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଛି, ଯାହା ଫଳରେ ଏହିମା’ଙ୍କ ଚୈତ୍ର-ପର୍ବ ଉତ୍ସଵ ବ୍ୟାପକ ଫିକା ପଡିଯାଇଛି । କୋରନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ ରଖି ଆଗକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମନ୍ଦିର ଭିତରକୁ ଭକ୍ତଙ୍କ ଦର୍ଶନ ଲାଗି ପ୍ରବେଶ ବନ୍ଦ ହୋଇପାରେ । ଏନେଇ ନିୟୋଜିତ ସେବାୟତଙ୍କର ଆର୍ଥିକ ସମସ୍ୟା ଉପରେ କୁପ୍ରଭାବ ପଡିଛି । ଏହାରି ଉପରେ ନିର୍ଭର କରି ଚଳୁଥିବା ବାଣିଜ୍ୟ- ବ୍ୟବସାୟିକ ଉପଭୋକ୍ତାଙ୍କ ଏବଂ ସବିଶେଷ ଦିଗରେ ଅର୍ଥନୈତିକ ଉପରେ ବିରାଟ ବାଧା ସଙ୍କଟ ଉପୁଜିଥିବା ଜଣାଯାଏ ।