ls

ଖଣିଜ ସମ୍ପଦ ଭରା ଓଡିଶା ସୀମାନ୍ତ ହାତଛଡ଼ା ହୋଇଯିବ କି : ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ରାଜ୍ୟ ସୀମାନ୍ତରେ ଅବସ୍ଥିତ ଚର୍ଦାପାଲି ଗ୍ରାମପଞ୍ଚାୟତ କିନ୍ତୁ ସୀମା ପ୍ରାରମ୍ଭରେ ଅଙ୍ଗନଦୀ ସାଜିଥାଏ ଚିରଦିନିଆ ବାଧକ ଫଳରେ ଯାତାୟାତ ଅସୁବିଧାରୁ ବର୍ଷର ୬ ମାସ ବିଚ୍ଛିନ୍ନ ରହେ ଓଡ଼ିଶା ରାଜ୍ୟ ସହିତ । ପ୍ରତ୍ୟକ କ୍ଷେତ୍ରରେ ନିର୍ଭରଶୀଳ ରହିଥାଆନ୍ତି ଛତିଶଗଡର ସରାଇପାଲି କ୍ଷେତ୍ର ଉପରେ ଏଠାକାର ଅଧିବାସୀ । ସ୍ୱାଧୀନତା ପର ଠାରୁ ନଦୀରେ ନାହିଁ ଏକ ପୋଲ । ବିଗତ ଅନେକ ବର୍ଷରୁ ପୋଲ ଏବଂ ନଦୀବନ୍ଧ ଏକ ସନ୍ଦେହ ଘେରରେ ରହିଆସିଛି । ମନେହୁଏ ସତେଯେମିତି ଲୁଚକାଳି ଖେଳ ଚାଲିଛି ଦୁହିଁଙ୍କ ମଧ୍ୟରେ । ଅନଶନ, ଧର୍ମଘଟ, ରାସ୍ତାରୋକ ଆଦିକୁ ଆପଣେଇ ଦୃଷ୍ଟି ଆକର୍ଷଣ କରାଯାଇସାରିଛି ପ୍ରଶାସନର ଏକ ପୋଲ ନିର୍ମାଣାର୍ଥେ । କିନ୍ତୁ ଉଦାସୀନ ସରକାର, ନିର୍ବାଚିତ ପ୍ରତିନିଧି ଏବଂ ନେତା । ଡ଼୍ୟାମ ହେଲେ ନିଶ୍ଚୟ ଅନେକ ଗ୍ରାମ ଜଳସେଚିତ ହୋଇପାରିବ । ଡ୍ୟାମ କରାନଯାଇ ନଦୀ ଜଳକୁ ଡାଇଭରସନ କରାଯାଇ ମଧ୍ୟତ ଜଳସେଚିତ କରାଯାଇପାରିବ । ଏଥିରେ ବିସ୍ଥାପିତ ର ପ୍ରଶ୍ନ ନାହିଁ । କିନ୍ତୁ ଡ଼୍ୟାମ ହେଲେ ଚର୍ଦାପାଲିର ପାଞ୍ଚ ଗୋଟି ଗ୍ରାମ ସହିତ ଅନ୍ୟାନ୍ୟ ଅଞ୍ଚଳବାସୀ ମଧ୍ୟ ବିସ୍ଥାପନ କଷ୍ଟ ଭୋଗିବା ପାଇଁ ବାଧ୍ୟ ଏବଂ ଆନ୍ଦୋଳନ ମଧ୍ୟ ଆହୁରି ଭୟାବହ ହେବା ନିଶ୍ଚିତ । ବିନା ବିସ୍ଥାପନରେ କେନାଲ ସିଷ୍ଟମ ଦ୍ୱାରା ଡାଇଭରସନ କରାଗଲେ ଏଠାରେ ଥିବା ହଜାର ହଜାର କୋଟି ଟଙ୍କା ମୂଲ୍ୟର ଖଣିଜ ସମ୍ପଦକୁ ରକ୍ଷା କରାଯାଇ ପାରିବ । ପ୍ରଥମେ ଧରାଯାଉ ନଦୀ ବାଲିକୁ । ଚର୍ଦାପାଲି ଗ୍ରାମପଞ୍ଚାୟତରୁ ପ୍ରତ୍ୟହ ଶହଶହ ଟ୍ରାକ୍ଟର ବାଲି ଛତିଶଗଡ ରାଜ୍ୟକୁ ଚାଲାଣ ହୁଏ । ଏହା ପ୍ରଶାସନର ଜାଣତରେ ହେଉ ବା ଅଜାଣତରେ ହେଉ ଟ୍ରାକ୍ଟର ପିଛା ୬୦୦ ଟଙ୍କା ଆଦାୟ କରାଯାଏ ଏବଂ ବାଲି ମାଫିଆ ମାନେ ପାଇଥାନ୍ତି ଦିନକୁ ପ୍ରାୟ ଟ ୫୦,୦୦୦ଙ୍କାରୁ ଉର୍ଦ୍ଧ । ଏହା କଣ ବିଭାଗୀୟ ଅଧିକାରୀ ମାନେ ଜାଣିନାହାନ୍ତି ? ଚର୍ଚ୍ଚା ହୁଏ ଏଥିରେ ଉଚ୍ଚ ପଦସ୍ଥ ନେତା, ଉଚ୍ଚ ପଦସ୍ଥ ଅଫିସରଙ୍କ ଜାଣତରେ ସବୁ ଚାଲିଛି, ତଥା ଭାଇଚାରା ସମ୍ପର୍କରେ ଚାଲିଛି । ଏହି ଟଙ୍କା ଯଦି ସରକାରୀ ହିସାବକୁ ଯାଏ ସରକାର ଅନେକ ଟଙ୍କା ରାଜସ୍ୱ ପାଇବେ ବାର୍ଷିକ । ଉକ୍ତ ପଞ୍ଚାୟତ ଅଧିନସ୍ଥ ଲୋହରାକୋଟ ଗ୍ରାମ ସ୍ଥିତ ପିଣ୍ଡା ପାହାଡ଼ ପାଦତଳେ ଅବସ୍ଥିତ । ଲୋହରା(କମାର)ମାନେ ପୂର୍ବେ ଏହି ପାହାଡ଼ର ପଥର ତରଳାଇ ଲୁହା ବାହାର କରୁଥିଲେ । ତେଣୁ ଏହି ଗ୍ରାମର ନାମ ଲୋହରାକୋଟରେ ନାମିତ । ଏହି ପାହାଡ଼ରେ ଥିବା ଲୁହାପଥରରୁ କେତେ ଲକ୍ଷ ଟନ୍ ଲୁହା ବାହାରି ପାରିବ ତାହା ସରକାରୀ ବାବୁମାନେ ସମୀକ୍ଷା କରିବା ଦରକାର । ପ୍ରସ୍ତାବିତ ପୂଜାରୀପାଲି ନଦୀ ବନ୍ଧ ଯୋଜନା ହେଲେ ସବୁ ବିଲିନ ହୋଇଯିବ ଜଳଭଣ୍ଡାର ଗର୍ଭରେ । ଚଙ୍ଘରିଆ ଗ୍ରାମ ଠାରୁ ଲୋହରାକୋଟ ପ୍ରାୟ ୮ରୁ ୧୦ କିଲୋମିଟର ପର୍ୟ୍ୟନ୍ତ ଲମ୍ବିରହିଛି ଏଇ ଖଣିଜ ସମ୍ପଦରେ ଭରପୁର ପିଣ୍ଡା ପାହାଡ଼ । ଏଠାରେ ଭର୍ତ୍ତି ହୋଇ ରହିଛି ମହୁଲ, ଚାର, ହରିଡା, ବାହାଡା, ଅଁଳା ଭଳି ଅନେକ ଔଷଧୀୟ ବୃକ୍ଷ । ସବୁ ବିଲିନ ହୋଇଯିବ ନଦୀ ଗର୍ଭରେ । ଏଠାରେ ଭରିରହିଛି ଅପାର ଚୂନପଥର । ଏକଦା ବରଗଡ ସିମେଣ୍ଟ କାରଖାନା ଏଠାରୁ ଯାଉଥିଲା ଚୂନ ପଥର । ଜାଲେଣୀ ଅନ୍ୟାନ୍ୟ ଆବଶ୍ୟକୀୟ ବୃକ୍ଷ ଭରି ରହିଛି ଏଇଠାରେ । କେନ୍ଦୁପତ୍ରରୁ ରାଜ୍ୟ ସରକାର ପାଇଥାଆନ୍ତି ବିପୁଳ ପରିମାଣର ରାଜସ୍ବ ।ଏଥିପାଇଁ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ ରହିଛି । ଉକ୍ତ ଗ୍ରାମପଞ୍ଚାୟତର କେନ୍ଦୁପତ୍ର ଉତ୍କୃଷ୍ଟ ମାନର ତଥା ପାହାଡିଆ ଅଞ୍ଚଳ ହେତୁ ଚାଷଜମି (ଆଁଟ୍) ହେଉକି ଜଙ୍ଗଲ । ଭର୍ତ୍ତି ଅଛି କେନ୍ଦୁପତ୍ର । ଏଠାକାର ଅଧିବାସୀ କେନ୍ଦୁପତ୍ର ତୋଳି, ବିକ୍ରୟ କରି ଜୀବନ ଜୀବିକା ଚଳାଇଥାନ୍ତି ବର୍ଷର କେଇ ମାସ । ସବୁ ସ୍ୱାହା ହୋଇଯିବ ଡ଼୍ୟାମ କରାଗଲେ । ଲୋକେ ଜୀବିକା ହରାଇବେ, ସରକାର ମଧ୍ୟ ହରାଇବେ କୋଟି କୋଟି ଟଙ୍କାର ରାଜସ୍ବ । କ୍ଷତି ହେବ ଆମ ଓଡ଼ିଶା ରାଜ୍ୟର । ଏହି ଠାରେ ପୈାରାଣିକ ସୀତା ପାହାଡ଼, ସୀତା କୁଣ୍ଡ ସବୁଦିନ ପାଇଁ ନଦୀବନ୍ଧରେ ବିଲିନ ହୋଇଯିବ । କିମ୍ବଦନ୍ତୀ ଅଛି ସ୍ୱୟଂ ଭଗବାନ ଶ୍ରୀ ରାମଚନ୍ଦ୍ର, ଭାଇ ଲକ୍ଷ୍ମଣ ଏବଂ ସୀତା ଦେବୀ ବନବାସ କାଳରେ ଏହି ପଥ ଦେଇ ଦେବଦର୍ହା ପର୍ୟ୍ୟଟନ ସ୍ଥଳ ସ୍ଥିତ ସୀତା ପାହାଡ଼ ଠାରେ ରାତ୍ରି ଯାପନ କରିଥିଲେ । ସୀତାଦେବୀଙ୍କ ଗାଧୋଇବାପାଇଁ ଲକ୍ଷ୍ମଣ ଶରବିଦ୍ଧ କରି ଏକ କୁଣ୍ଡ ତିଆରି କରିଥିଲେ ଯାହା ବର୍ତ୍ତମାନ ସୁଦ୍ଧା ସୀତା କୁଣ୍ଡ ନାମରେ ମୁକସାକ୍ଷୀ ହୋଇ ରହିଛି । ରାତ୍ରିଯାପନ ପାହାଡର ନାମ ଧିରେଧିରେ ଅପଭ୍ରଂଶ ହୋଇ ସୀତା ପାହାଡ଼ ପରିବର୍ତ୍ତେ ଭତା ପାହାଡ଼ ନାମରେ ପରିଚିତ । ତାହାମଧ୍ୟ ବିଲିନ ହୋଇଯିବ ପୂଜାରୀ ପାଲି ନଦୀବନ୍ଧ ଯୋଜନାରେ । ଓଡିଶା, ଛତିଶଗଡ ରାଜ୍ୟର ପ୍ରସିଦ୍ଧ ଶ୍ରୀ ଧବଳେଶ୍ୱର ଶୈବପୀଠ ମଧ୍ୟ ଅକାତକାତ ଜଳଭଣ୍ଡାରରେ ବୁଡ଼ିଯିବ । ଯଦି ରାଜ୍ୟ ସରକାର ଏହି ସ୍ଥାନର ଉନ୍ନତି ପ୍ରତି ଧ୍ୟାନ ଦିଅନ୍ତି ତେବେ ଏହା ଏକ ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳରେ ପରିଣତ ହୋଇ ପାରିବ କାରଣ ଏଠାକାର ପ୍ରାକୃତିକ ମନୋରମ ସୈାନ୍ଦର୍ୟ୍ୟମୟ ପରିବେଶ ଓଡ଼ିଶାରେ ନିଆରା । ଏହି ଗ୍ରାମପଞ୍ଚାୟତର ତିନି ପଟେ ଘେରି ରହିଛି ତିନୋଟି ନଦୀ ଏବଂ ନଦୀଶଯ୍ୟାରେ ଭରିରହିଛି ଅପାର ପଥର ସାଙ୍ଗକୁ ମଶିଣା । ମଶିଣା କନ୍ଦ ଏକ ମୂଲ୍ୟବାନ ପଦାର୍ଥ ଏଠାରୁ ରପ୍ତାନି ହୁଏ । ଏହି କନ୍ଦ ଛତିଶଗଡ ରାଜ୍ୟକୁ ମଶିଣା କାଣ୍ଡରୁ ତିଆରି ହୁଏ ମଶିଣା ପଟି । ଏହାର ରକ୍ଷଣାବେକ୍ଷଣ କରାଗଲେ ଚାଲିପାରିବ ଏକ କୂଟୀର ଶିଳ୍ପ । ବାଲି, ଲୁହାପଥର, ଚୂନପଥର, ମଶିଣା କନ୍ଦ, ଔଷଧୀୟ ବୃକ୍ଷ ଭରା ଏହି ପଞ୍ଚାୟତ ଟି ପାହାଡ଼ ପର୍ବତ ଘେରା ପାଦଦେଶରେ ଥିବାରୁ କୃଷିକ୍ଷେତ୍ରରେ ମଧ୍ୟ ଏଠାକାର ଚାଷୀ ପଛରେ ନାହାନ୍ତି । କେବଳ ଅନୁନ୍ନତ ଅବସ୍ଥାରେ ପଡ଼ିରହିଛନ୍ତି ଏକ ସ୍ଥାୟୀ ପୋଲ ଟିଏ ପାଇଁ ଦାବୀ ହୁଏ, ନେହୁରା କରାଯାଏ, ଏକ ସ୍ଥାୟୀ ପୋଲ ସକାଶେ ଯାହାକି ସ୍ୱାଧିନ ଭାରତର ନାଗରିକଙ୍କ ମୈାଳିକ ଅଧିକାର କିନ୍ତୁ ଦୁଃଖ ଲାଗେ ଉଦାସୀନ ପ୍ରଶାସନ ତେଣୁ ସ୍ୱର ଉଠେ ଓଡ଼ିଶା ଛାଡ଼ି ଛତିଶଗଡ ରାଜ୍ୟରେ ମିଶିବା ପାଇଁ । ଏଥିରେ ଓଡ଼ିଶା ସରକାର ମୋହର ମାରିବେ ତ ? କିନ୍ତୁ ଏହି ଅପାର ବୈଭବ ଭରା ଚର୍ଦାପାଲି ଗ୍ରାମପଞ୍ଚାୟତକୁ ସାମିଲ କରିବାପାଇଁ ସ୍ୱାଗତ ଜଣାଇବେ ଛତିଶଗଡ ସରକାର ନିଶ୍ଚିତ । ଏଥିରେ ଛତିଶଗଡ ରାଜ୍ୟର ବିପୁଳ ଲାଭ ହେବ । ସମୟକୁ ଅପେକ୍ଷା । ଶୁଣାଯାଏ ଅତିଶୀଘ୍ର ସରକାର ଏହି ପଞ୍ଚାୟତର ରାସ୍ତାଘାଟର ଉନ୍ନତି କରଣ ସହିତ ଦାବୀ କରାଯାଉଥିବା ସ୍ଥାନରେ ଏକ ସ୍ଥାୟୀ ପୋଲ ନିର୍ମାଣର ପଦକ୍ଷେପ ଗ୍ରହଣ କରିଛନ୍ତି । ଡେରିରେ ପଛେ ହେଉ ଏହି ପଦକ୍ଷେପ ପ୍ରକୃତରେ କାର୍ୟ୍ୟକାରୀ କରାଗଲେ ପ୍ରଶାସନ ସାଧୁବାଦର ହକଦାର ହେବେ ଜନତାଙ୍କ ଠାରେ ଜନତା ଦରବାରରେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

Leave A Reply

Your email address will not be published.