
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ନୂଆ ଟାଉନ ହଲ ଠାରେ “ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ”ର ଉଦ୍ଘାଟନ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଏହାକୁ ଉଦ୍ଘାଟନ କରିଥିବା ବେଳେ ଏହା ପାଞ୍ଚ ଦିନ ଧରି ଚାଲିବ । ପ୍ରଦର୍ଶନୀରେ ମୋଟ ୨୨ ଗୋଟି ଷ୍ଟଲ୍ ରହିଛି ଏବଂ ସେଥିମଧ୍ୟରୁ ୬ ଗୋଟି ଷ୍ଟଲ୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଆଜି ଠାରୁ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ସାଧାରଣ ପରିଚାଳିକା ସୁଶ୍ରୀ ସୁଷମା କରାଳି ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାଏକ, ଏଲଡିଏମ୍, ସୁବର୍ଣ୍ଣପୁର କାର୍ତ୍ତିକେଶ୍ୱର ପଣ୍ଡା ଏବଂ ଡିଡିଏମ୍ ନାବାର୍ଡ ଡ. ସତ୍ୟସ୍ୱରୂପ ବିଦାନ୍ତ । ମୁଖ୍ୟଅତିଥି ବିଧାୟକ ଜଗଦଲା କହିଥିଲେ ସୁବର୍ଣ୍ଣପୁର ଜିଲ୍ଲାରେ ସେପରି କିଛି ବଡ ଶିଳ୍ପ ନାହିଁ । ଏଣୁ ଛୋଟ ଛୋଟ ଶିଳ୍ପ ଉପରେ ନିର୍ଭରଶୀଳ ହୋଇ ସ୍ଥାନୀୟ ଲୋକେ ରୋଜଗାର ବୃଦ୍ଧି କରିପାରିବେ ଏବଂ କହିଥିଲେ ଯେ, ସରକାର ଜନସାଧାରଣଙ୍କର ଆୟ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି କ୍ଷେତ୍ରରେ ଆମେ ଆମର କୌଳିକ ବୃତ୍ତିର ବିକାଶ କରିପାରିବା । ପରେ ପ୍ରଦର୍ଶନୀକୁ ଫିତାକାଟି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଉଦ୍ୟୋଗୀତା, ଋଣ ସହାୟତା, ବ୍ୟାଙ୍କିଙ୍ଗ ସୁବିଧା, ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ଦକ୍ଷତା ବିକାଶ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସଶକ୍ତିକରଣ ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିପରି ବିପଣନ, ବ୍ରାଣ୍ଡିଂ, ଡିଜିଟାଲାଇଜେସନ ଓ ଉଦ୍ୟୋଗୀତା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହା ସହିତ ଉଦ୍ୟୋଗୀତା ବିଷୟ ଉପରେ ପ୍ରବନ୍ଧ, ବିତର୍କ, କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ । ପ୍ରଦର୍ଶନୀର ଶେଷ ଦିନରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସହିତ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯିବ । କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା ଯେ, ଦେଶରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଚାକିରି ପାଉଛନ୍ତି । ଏହି କ୍ଷେତ୍ରରେ ଗ୍ରାମୀଣ ଲୋକମାନେ ଅଧିକାଂଶ ଭାବରେ କାମ କରୁଛନ୍ତି । ଏହାଛଡ଼ା ଋଣରେ ମଧ୍ୟ ୮୦୦ କୋଟି ଟଙ୍କା ଏହି କ୍ଷେତ୍ରକୁ ଦିଆଯାଉଛି ।
