csstore

ଖଡ଼ିଆଳ ବସଷ୍ଟାଣ୍ଡ ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ପାଚେରୀ

ଖଡିଆଳ, (କେପିଏନ୍‌ଏସ୍‌) : ନଅ କୋଟିର ଖଡ଼ିଆଳ ହାଇଟେକ୍ ବସଷ୍ଟାଣ୍ଡର ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ । ଉଦ୍‌ଘାଟନକୁ ଆଉ ମାତ୍ର ପାଞ୍ଚ ଦିନ ବାକି ? ଏହା ପୂର୍ବରୁ ହିଁ ନବନିର୍ମିତ ଖଡ଼ିଆଳ ହାଇଟେକ୍ ବସଷ୍ଟାଣ୍ଡର ସୁରକ୍ଷା ଓ ନିର୍ମାଣ ଗୁଣବତ୍ତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । ବସଷ୍ଟାଣ୍ଡର ସୁଉଚ୍ଚ ପାଚେରୀର ଏକ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । ଓଡ଼ିଶା ହାଉସିଂ ବୋର୍ଡ ପକ୍ଷରୁ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହାଇଟେକ୍ ବସଷ୍ଟାଣ୍ଡର ଉଦ୍‌ଘାଟନ ଆସନ୍ତା ଜୁଲାଇ ୧୦ ତାରିଖରେ ହେବାକୁ ଥିବା ସୂଚନା ରହିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଶନିବାର ହଠାତ୍ ବସଷ୍ଟାଣ୍ଡ ପରିସରର ପ୍ରାୟ ୪୦ରୁ ୫୦ ଫୁଟ ଲମ୍ବର ପାଚେରୀ ଭୁଶୁଡ଼ି ପଡ଼ି ନିକଟସ୍ଥ ଆମ୍ବେଦକର ପଡ଼ାର ବାସିନ୍ଦା ରାଜୁ ତାଣ୍ଡିଙ୍କ ଘର ଉପରେ ପଡ଼ିଥିଲା । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ଘଟିନଥିବା ଜଣାପଡ଼ିଛି । ଘଟଣା ପରେ ଜେସିବି ସହାୟତାରେ ଘର ଉପରେ ପଡ଼ିଥିବା ପାଚେରୀର ଭଙ୍ଗା ଅଂଶ ଓ ମଲମ ହଟାଯାଇଥିଲା । ତେବେ ଉଦ୍‌ଘାଟନ ପୂର୍ବରୁ ହିଁ ଏଭଳି ଘଟଣା ଘଟିବା ପରେ ପ୍ରକଳ୍ପର ନିର୍ମାଣ ମାନ ଏବଂ ସ୍ଥାୟୀତ୍ୱକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଯଦି ଉଦ୍‌ଘାଟନ ପୂର୍ବରୁ ହିଁ ପାଚେରୀ ଭୁଶୁଡ଼ି ପଡ଼ୁଛି, ତେବେ ଭବିଷ୍ୟତରେ ପ୍ରତିଦିନ ଶହ ଶହ ଯାତ୍ରୀଙ୍କ ଯାତାୟାତ ସମୟରେ ସୁରକ୍ଷା କେତେ ସୁନିଶ୍ଚିତ ରହିବ, ତାହାକୁ ନେଇ ଚିନ୍ତା ବଢ଼ିଛି । ଏହି ଘଟଣାକୁ କେନ୍ଦ୍ର କରି ପ୍ରକଳ୍ପର ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି । ସେମାନଙ୍କ ଦାବି, ସମଗ୍ର ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ବୈଷୟିକ ତଦନ୍ତ କରାଯାଇ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଅଣାଯାଉ । ଯଦି କୌଣସି ପ୍ରକାରର ଅବହେଳା କିମ୍ବା ତ୍ରୁଟି ପ୍ରମାଣିତ ହୁଏ, ତେବେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହେଉଛି । ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି । ଉଦ୍‌ଘାଟନ ପୂର୍ବରୁ ପାଚେରୀ ଧସିବା ଘଟଣାର କାରଣ ଚିହ୍ନଟ କରି ସମ୍ପୂର୍ଣ୍ଣ ପ୍ରକଳ୍ପର ସୁରକ୍ଷା ଯାଞ୍ଚ କରାଯିବ କି ନାହିଁ ଏବଂ ଜନସାଧାରଣଙ୍କ ଆଶଙ୍କା ଦୂର କରିବା ପାଇଁ କି ପଦକ୍ଷେପ ନିଆଯିବ, ତାହା ଏବେ ଦେଖିବାକୁ ବାକି ରହିଲା ।

jayashree
Leave A Reply

Your email address will not be published.