
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ଚିଠା ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଇସଲୱାର ଚିଠା ଭୋଟର ତାଲିକାର ସବିଶେଷ ତଥ୍ୟ ପ୍ରଦାନ କରି କହିଥିଲେ ଯେ, ଚିଠା ଭୋଟର ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଆବେଦନ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଗ୍ରହଣ କରାଯିବ । ପ୍ରାପ୍ତ ଆବେଦନଗୁଡ଼ିକ ଉପରେ ୫ ଜୁଲାଇରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୋଟିସ ଜାରି ଓ ଶୁଣାଣି ପ୍ରକ୍ରିୟା ଚାଲିବ । ଏହି କାର୍ଯ୍ୟ ପାଇଁ ଜିଲ୍ଲାର ୫ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ୩୪ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଭୋଟରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ମତଦାନ କେନ୍ଦ୍ରଗୁଡ଼ିକର ସଂଗତିକରଣ କରାଯାଇଛି । ଏହାଫଳରେ ମତଦାନ କେନ୍ଦ୍ର ସଂଖ୍ୟା ୧୫୬୧ରୁ ବୃଦ୍ଧି ପାଇ ୧୭୬୦ରେ ପହଞ୍ଚିଛି । ଜିଲ୍ଲାର ପ୍ରାକ୍-ଚିଠା ଭୋଟର ସଂଖ୍ୟା ୧୩,୪୩,୮୧୬ ଥିବାବେଳେ ସଂଶୋଧିତ ଚିଠା ତାଲିକାରେ ବିଭିନ୍ନ କାରଣରୁ ଏହା ୧୨,୪୪,୫୫୮କୁ ହ୍ରାସ ପାଇଛି । ଏହି କାରଣଗୁଡ଼ିକ ମଧ୍ୟରେ ମୃତ୍ୟୁ, ସ୍ଥାୟୀ ଭାବେ ସ୍ଥାନାନ୍ତର, ପୂର୍ବରୁ ନାମ ପଞ୍ଜୀକୃତ ହୋଇସାରିବା ଓ ଅନ୍ୟାନ୍ୟ କାରଣ ରହିଛି । ତେବେ ନିର୍ବାଚନମଣ୍ଡଳୀ ଭିତ୍ତିକ ଭାବେ ଲୋଇସିଂହାରେ ୨,୨୩,୪୪୧, ପାଟଣାଗଡ଼ରେ ୨,୮୮,୬୬୫, ବଲାଙ୍ଗିରରେ ୨,୩୦,୨୮୩, ଟିଟିଲାଗଡ଼ରେ ୨,୪୧,୭୧୮ ଏବଂ କଣ୍ଟାବାଞ୍ଜିରେ ୨,୬୦,୪୫୧ ଜଣ ଭୋଟର ଚିଠା ତାଲିକାରେ ସ୍ଥାନ ପାଇଛନ୍ତି । ସମସ୍ତ ଯୋଗ୍ୟ ଭୋଟର, ବିଶେଷକରି ନୂତନ ଯୁବ ଭୋଟରଙ୍କୁ ନିଜ ନାମ ଓ ବିବରଣୀ ଯାଞ୍ଚ କରିବା ସହ କୌଣସି ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଶୋଧନ ପାଇଁ ଆବେଦନ କରିବାକୁ ଜିଲ୍ଲା ପ୍ରସାଶନ ପକ୍ଷରୁ ନିବେଦନ କରାଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ମତାମତ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ବିଜୟାନନ୍ଦ ସେଠୀ, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ନିର୍ବାଚନ ବିଭାଗର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
