ତୁଲଣ୍ଡିରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କଲେ ନରସିଂହ

  • ୧୩ ଜଣ ହିତାଧିକାରୀଙ୍କୁ ହେଲା ଗୁହାଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତର ତୁଲଣ୍ଡିଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ ଦିଆଯାଇଛି । ନିଜ ବିଧାୟକ ପାଣ୍ଠିରୁ ପ୍ରଦତ୍ତ ୭ ଲକ୍ଷ ଟଙ୍କାର ଏକ ରାସ୍ତା ଯାହାକି ତୁଲଣ୍ଡି ଆର.ଡି ରୋଡ ଦେଇ ଚକ୍ରମୁଡା ପର୍ଯ୍ୟନ୍ତ ରାସ୍ତାର ଆଜି ଶିଳାନ୍ୟାସ ଶ୍ରୀ ମିଶ୍ର କରିଛନ୍ତି । ଠିକ୍‌ ସେହିପରି ବିଧାୟକ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଏକ ସ୍କୁଲ ଗେଟ ଏବଂ ୩ ଲକ୍ଷ ଟଙ୍କାର ଅନୁଦାନରେ ଏକ ମଣ୍ଡପ ହରିଜନପଡାଠାରେ ଭିତ୍ତି ପ୍ରସ୍ତର ଦିଆଯାଇଛି । ତା’ସହ ରାମଜୀ ଯୁବକ ସଂଘର ଏକ କୋଠାର ମଧ୍ୟ ଉଦ୍‌ଘାଟନ ହୋଇଯାଇଛି । ପରେ ତୁଲଣ୍ଡି ଗାଁ ରାମଜୀ ମଣ୍ଡପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବିଧାୟକ ଶ୍ରୀ ମିଶ୍ର ଗାଁ ଲୋକଙ୍କଠାରୁ ବିଭିନ୍ନ ପ୍ରକାର ଆପତ୍ତି ଅଭିଯୋଗ ଶୁଣିଥିଲେ । ସେଠାରେ ସେ ଗାଁର ୧୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଗୁହାଳ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ସେମାନେ ହେଲେ ତରଣୀସେନ ଚିର୍ଗୁନ, ଗଜିନ୍ଦ୍ର ବଘାର, ସୁରେନ୍ଦ୍ର ବଘାର, ବିଭୁଦେନ୍ଦ୍ର ମିଶ୍ର, ସୂର୍ଯ୍ୟମୋହନ ମିଶ୍ର, ନିର୍ମଳ ଚନ୍ଦ୍ର ମିଶ୍ର, କ୍ଷେତ୍ରବାସୀ ମିଶ୍ର, ବେଲାର ମିଶ୍ର, ଅବସ୍ତି ବଗର୍ତ୍ତି, ଦାମୋଦର ମିଶ୍ର, ଗୋପାଳ ଚନ୍ଦ୍ର ମିଶ୍ର ଏବଂ ସୁଜ୍ଞାନେନ୍ଦ୍ର ମିଶ୍ର । ଏ ସମସ୍ତ କାର୍ଯ୍ୟାଦେଶ ବଣ୍ଟନ ସମୟରେ ଏବିଡିଓ ରାମଦତ୍ତ ଭୋଇ, ଇଂ. ବୃଷବ ହୋତା, ପିଇଓ କୃଷ୍ଣଚନ୍ଦ୍ର ବେହେରା, ଗ୍ରାମ ରୋଜଗାର ସେବକ ମନୋଜ କ୍ଷେତି, ସରପଞ୍ଚ ପିଙ୍କୁ ପଟେଲ ଏବଂ ସ୍କୁଲ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ସଭାରେ ଗାଁ ଲୋକେ ଏହା ବ୍ୟତୀତ ଗାଁରେ ପିଇବା ପାଣି ସମସ୍ୟାକୁ ନେଇ ଅନେକ ଅଭିଯୋଗ କରିଥିଲେ । ଗାଁରେ ପିଇବା ପାଣି ସମସ୍ୟା ଥିଲେ ହେଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଭିଯୋଗଗୁଡିକୁ କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଥିଲେ । ସେଠାରେ ଉପସ୍ଥିତ ଥିବା ଆର୍‌ଡବ୍ଲୁଏସ୍‌ଏସ୍‌ ଯନ୍ତ୍ରୀ ଶ୍ରୀ ଭଦ୍ର ଗାଁ ଲୋକଙ୍କ ପିଇବା ପାଣିକୁ ନେଇ ଯାହା ବି ସମସ୍ୟା ଅଛି ସେ ସବୁକୁ ଠିକ୍‌ ଭାବରେ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ତଥା ଗାଁ ଲୋକଙ୍କୁ ଜଣାଇଥିଲେ । ପରେ ତୁଲଣ୍ଡିରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ସ୍ଥିତି ଏବଂ କାମ କିପରି ଚାଲିଛି ସେ ଉପରେ ସେ ଉପସ୍ଥିତ ଅଧିକାରୀମାନଙ୍କୁ ପଚାରିବା ସହ କ୍ଷେତ୍ର ପରିଦର୍ଶନ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ଗାଁର ବିରେନ୍ଦ୍ର ବଘାର, ସୁବାଷ ବଘାର, ବିଜ୍ଞାନେନ୍ଦ୍ର ମିଶ୍ର, ଗ୍ରାମ ଚୌକିଦାର ଗୌରାଙ୍ଗ ବାଗ, ସୋମନାଥ ନାଥ, ଦୁର୍ଯ୍ୟୋଧନ ହରପାଲ, ରାମଜୀ ଯୁବକ ସଂଘର ଦାମୋଦର ବଘାର, ସମ୍ପାଦକ ରାଧାକାନ୍ତ ବାଗ, କୁଞ୍ଜ ବିହାରୀ ପାଣ୍ଡେ, ଦିନବନ୍ଧୁ ପଟେଲ, ଯୁବ ନେତା ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − 7 =