ଆମ୍ବୁଲାନ୍ସରୁ ନାଗସାପ ଉଦ୍ଧାର

ଅନୁଗୁଳ : ଆମ୍ବୁଲାନ୍ସରୁ ନାଗସାପ ଉଦ୍ଧାର । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ । ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡ଼ି କୋଶଳା, ନାଣ୍ଡିଛୋଡ଼ ଅଞ୍ଚଳରୁ ଫେରୁଥିଲା । ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏକ ସାପ ରାସ୍ତା ପାର ହେଉଥିବା ଦେଖି ଗାଡ଼ି ଚାଳକ ଆମ୍ବୁଲାନ୍ସକୁ ଅଟକାଇ ଦେଇଥିଲେ । ତେବେ ସାପଟି ରାସ୍ତା ଅତିକ୍ରମ ନ କରି ଗାଡ଼ି ଭିତରେ ପଶି ଯାଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା କର୍ମଚାରୀ ଭୟଭୀତ ହୋଇ ଗାଡ଼ି ଛାଡି ସାପ ଉଦ୍ଧାରକାରୀ ପୃଥ୍ୱୀରାଜ ଗଡ଼ନାୟକଙ୍କୁ ଖବର ଦେଇଥିଲେ । ପୃଥ୍ୱୀରାଜ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ତଳେ ପଶି ପ୍ରାୟ ଅଢ଼େଇ ଘଣ୍ଟା ପରିଶ୍ରମ ପରେ ପ୍ରାୟ ୬ ଫୁଟ୍ ଲମ୍ବ ନାଗ ସାପଟିକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ସାପଟିକୁ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.

14 + 15 =