oom

ମୁମୂର୍ଷୁ ଅବସ୍ଥାରେ ବୁଦାମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର : ଜୀବନଦାନ ଦେଲେ ଗ୍ରାମବାସୀ

jsmm

ଜୟପାଟଣା, (ଶେଷଦେବ ବେହେରା) : ଅଲୋଡ଼ା ହୋଇଛି ଶିଶୁକନ୍ୟା, ଜନ୍ମର କିଛି ସମୟ ପରେ ମାନବିକତା ଭୁଲି ବୁଦାମୂଳରେ ମରଣ ମୁହଁକୁ ଠେଲିଦେଇ ଚାଲିଗଲେ । ତେବେ କିଛି ସମୟ ପରେ କିଛି ଯୁବକ ଶିଶୁର କାନ୍ଦ ଶୁଣି ଅନ୍ଧାର ରାତିରେ ବୁଦାମୂଳରେ ଶିଶୁକୁ ଠାବ କରିବା ସହ ଉଦ୍ଧାର କରିଥିଲେ । ଏଭଳି ଏକ ସ୍ପର୍ଶକାତର ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ଥାନା ରଣମାଲ ପଞ୍ଚାୟତ ଅନ୍ତର୍ଗତ ଭୁର୍ସିଗୁଡା ଗାଁ ଠାରେ । ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଗାଁର କିଛି ଯୁବକ ରାସ୍ତାରେ ବୁଲିବା ପାଇଁ ଆସିଥିଲେ । ଏସମୟରେ ପାଖରେ ଥିବା ଏକ ବୁଦାମୂଳରୁ ଏକ ଛୁଆର ବିକଳ କାନ୍ଦଣା ଶୁଣିବାକୁ ମିଳିଥିଲା । କଣ ହୋଇଛି ବୋଲି ଯୁବକ ମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ ସେଇ ଦୃଶ୍ୟ ହୃଦୟକୁ ଥରାଇ ଦେଇଥିଲା । କେହିଁ ଜଣେ ନବଜନ୍ମିତ ଶିଶୁକନ୍ୟାକୁ ବୁଦାମୂଳରେ ମରଣ ମୁହଁରେ ଛାଡି ଦେଇଥିଲା । ଯୁବକମାନେ ତୁରନ୍ତ ଗାଁର ଆଶା, ଅଙ୍ଗନୱାଡ଼ି, ସ୍ଥାନୀୟ ପୋଲିସ, ସାମ୍ବାଦିକ, ସ୍ୱେଚ୍ଛାସେବୀଙ୍କୁ ଖବର ଦେଇଥିଲେ । ପରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଶିଶୁ କନ୍ୟାର ଓଜନ ୧୨ ଶହ ଗ୍ରାମ ଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣାପଡ଼ିଛି । ଏନ୍‌ଆଇସିୟୁ ୱାର୍ଡ଼ରେ ଶିଶୁର ଚିକିତ୍ସା ଚାଲିଛି । ଜିଲ୍ଲା ସିଡବ୍ଲୁସି ଓ ଚାଇଲଡ଼ ପ୍ରୋଟେକ୍ସନ ୟୁନିଟକୁ ଅବଗତ କରାଯାଇଛି । ଆଶା କର୍ମୀ ବିଦୁଲତା ଲେଞ୍ଜିଆ, ଅଙ୍ଗନୱାଡି କର୍ମୀ ଦୁର୍ମିଳା ନାଏକ, ସ୍ଥାନୀୟ ଜଣେ ମହିଳା ଜୟନ୍ତୀ ଦୁର୍ଗା ସ୍ୱେଚ୍ଛାସେବୀ ବେଣୁପାଣି ଦୁର୍ଗା, ଗୋବର୍ଦ୍ଧନ ଦୁର୍ଗା, ଟଙ୍କଧର ଲହଜଳ, ରମେଶ ବେହେରା, ଗୋଲେଖ ତାଣ୍ଡି ପ୍ରମୁଖ ଶିଶୁକୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିବା ସହ ସିଡବ୍ଲୁସିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହା ଅବୈଧ ସଂପର୍କ ନା ଅଲୋଡା ଶିଶୁକନ୍ୟା ପାଇଁ ଏମିତି ଅମାନବୀୟ ଘଟଣା ଘଟିଛି ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.