pakka

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ, ଓ ଅବାଧ ପରିଚାଳନା କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ ଓ ଅବାଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସମସ୍ତ ପ୍ରିଜାଇଣ୍ଡିଙ୍ଗ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରକ୍ରିୟା ଚାଲୁ ରହିଛି । ଏଥିପାଇଁ ଏହିମାସ ୩, ୪ ଓ ୭ତାରିଖରେ ଜିଲ୍ଲାର ସମସ୍ତ ୬ଟି ବ୍ଲକରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟବସ୍ଥିତ ଭାବେ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋନପୁର ମହାବିଦ୍ୟାଳୟ, ବୀରମହାରାଜପୁର ମହାବିଦ୍ୟାଳୟ, ତରଭା ଏଇଏସ ମହାବିଦ୍ୟାଳୟ, ଡୁଙ୍ଗୁରିପାଲି ମହାବିଦ୍ୟାଳୟ, ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ଏବଂ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ବିଡିଓ, ତହସିଲଦାର ଏବଂ ଅତିରିକ୍ତ ବିଡିଓ ମାନେ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏଥି ନିମନ୍ତେ ଜିଲ୍ଲାରେ ବିଭିନ୍ନ ବ୍ଲକ ଯଥା, ସୋନପୁର ବ୍ଲକରେ ୧୨୬ଜଣ, ବିନିକା ବ୍ଲକରେ ୧୧୦ଜଣ, ଡୁଙ୍ଗୁରିପାଲି ବ୍ଲକରେ ୧୭୩ଜଣ, ବୀରମହାରାଜପୁର ବ୍ଲକରେ ୮୩ଜଣ, ଉଲୁଣ୍ଡା ବ୍ଲକରେ ୧୨୦ଜଣ ଏବଂ ତରଭା ବ୍ଲକରେ ୧୧୩ଜଣ ଲେଖାଏଁ ମୋଟ ୭୨୫ଜଣ ପ୍ରିଜାଇଣ୍ଡିଙ୍ଗ ଅଫିସର ଓ ୭୨୫ଜଣ ପ୍ରଥମ ପୋଲିଂ ଅଫିସର ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଗତ ୩ ଓ ୪ ତାରିଖ ଦୁଇ ଦିନରେ ୬୫୨ ଜଣ ପ୍ରିଜାଇଣ୍ଡିଙ୍ଗ ଅଫିସର ଏବଂ ୪୦୭ଜଣ ପ୍ରଥମ ପୋଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ପିଡିଡିଆରଡିଏ ଡୋଳାମଣି ପଟେଲ ଏବଂ ସୋନପୁର ଓ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣରେ ଚାଲୁରହିଛି । ନିର୍ବାଚନରେ ନିୟୋଜିତ ହେବାକୁ ଥିବା ଅଧିକାରୀ ମାନଙ୍କୁ ପ୍ରଶାସନ ତରଫରୁ ଆଗଧାଡିର କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ପୂର୍ବକ କୋଭିଡ ପରିସ୍ଥିତିକୁ ଉଚିତ ମୁକାବିଲା ସହ ପରିଚାଳନା କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ରରେ କରୋନାର ବୁଷ୍ଟର ଡୋଜ ଟୀକା ପ୍ରଦାନ କରାଯାଉଛି । ଜିଲ୍ଲପାଳ ସୁବର୍ଣ୍ଣପୁର ପ୍ରତ୍ୟକ୍ଷ ଭାବେ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ କରି ଆବଶ୍ୟକ ପରାମର୍ଶ ପ୍ରଦାନ କରି ଚଳିତ ନିର୍ବାଚନକୁ ଶୃଙ୍ଖଳିତ, ମୁକ୍ତ, ନିରପେକ୍ଷ ଓ ଅବାଧ ଭାବେ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଳା ପଞ୍ଚାୟତ ଅଧିକାରୀ ଅମୁଲ୍ୟ କୁମାର ନନ୍ଦ ଜିଲ୍ଲାର ୧୦୯ଟି ପଞ୍ଚାୟତରେ ୧୪୬୨ବୁଥ୍‌ରେ ଶାନ୍ତି ଶୃଙ୍ଖଳା ସହିତ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରାଯିବା ଉପରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଆରମ୍ଭ କରାଯାଉଥିବା ସୂଚନା ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

eleven − 10 =

error: Content is protected !!