jayashree

କଂଗ୍ରେସ ବନ୍ଦ ଡାକରାରେ ପାଇକମାଲ ଓ ମାଣ୍ଡୋସିଲ ଠପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ପାଇକମାଲ ଓ ମାଣ୍ଡୋସିଲ ଅଞ୍ଚଳରେ ପଡ଼ିଛି । ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ପରିବହନ ବନ୍ଦ ରହିବାରୁ ଉଭୟ ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇଥିଲା । ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ ଟ୍ରକ୍‌, ବସ୍‌ ଓ ଅଟୋ ଚଳାଚଳ ବନ୍ଦ ରହିଥିଲା । ପାଇକମାଲ ଓ ମାଣ୍ଡୋସିଲର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଦୋକାନବଜାର, ସ୍କୁଲ, କଲେଜ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ ବେସରକାରୀ ପ୍ରତିଷ୍ଠାନ ବନ୍ଦ କରିଥିଲେ । ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଥିଲା । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ଓ ଔଷଧ ଦୋକାନ ଭଳି ଜରୁରୀକାଳୀନ ସେବା ସ୍ୱାଭାବିକ ରହିଥିଲା । ପାଇକମାଲ ମୁଖ୍ୟ ଛକରେ ବ୍ଲକ କଂଗ୍ରେସ ସଭାପତି ମହେନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ କର୍ମୀମାନେ ବନ୍ଦ ପାଳନ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ପଦ୍ମପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ବୀରେନ୍ଦ୍ରନାଥ ପଟ୍ଟନାୟକ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ପଦ୍ମପୁର କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁଙ୍କ ସମେତ ବରିଷ୍ଠ ନେତା ବିନୋଦ କାଳିଆ, ଗଜରାଜ ସିଂ ପୁଟା, ପ୍ରାଣବନ୍ଧୁ ଦାସ, ମନୋଜ ତ୍ରିବାଦୀ, ବିଜୟାନନ୍ଦ ପଟ୍ଟନାୟକ, ମୁଜାଫର ହୁସେନ, ଆକାଶ ପାଣିଗ୍ରାହୀ, ବିକାଶ ବହିଦାର, ସନ୍ତୋଷ ପାଣିଗ୍ରାହୀ, ଆଦିତ୍ୟ ପଣ୍ଡା, ଉମାକାନ୍ତ ବାଗ, ପଙ୍କଜ ବାଗ, ଦୟାନନ୍ଦ ଦୀପ ଓ ଧନୁ ଦୀପ ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ । ମନରମା ଦାସଙ୍କ ନେତୃତ୍ୱରେ ପାଇକମାଲ ଅଞ୍ଚଳର ପ୍ରାୟ ୫୦ ଜଣ ଯୁବକ ମଧ୍ୟ ବନ୍ଦ ପାଳନରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ବ୍ଲକ କଂଗ୍ରେସ କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆଙ୍କ ପକ୍ଷରୁ ମାଣ୍ଡୋସିଲ ଅଞ୍ଚଳରେ ମଧ୍ୟ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରିଥିଲେ । ସ୍ଥାନୀୟ ବଜାରରେ ଦୋକାନବଜାର ବନ୍ଦ ରହିବା ସହ ଯାତାୟାତ ପ୍ରଭାବିତ ହୋଇଥିଲା । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଚାଲିଥିବା ବେଳେ ଉଭୟ ପାଇକମାଲ ଓ ମାଣ୍ଡୋସିଲ ଅଞ୍ଚଳରେ ଏହାର ପ୍ରଭାବ ସ୍ପଷ୍ଟ ଦେଖାଯାଇଥିଲା ।

Leave A Reply

Your email address will not be published.