
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଜଙ୍ଗଲ ପାଦଦେଶରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କାରବାର ଉପରେ ଅବକାରୀ ବିଭାଗ ଚଢ଼ାଉ କରି ୨୦୦ ଲିଟର ଦେଶୀ ମଦ ଜବତ କରିଛି । ଏଥିସହ ୪ ହଜାର ଲିଟର ମହୁଲ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ତେବେ ଚଢ଼ାଉ ସମୟରେ ମଦ ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ବରଗଡ଼ ଜିଲ୍ଲା ଅବକାରୀ ଅଧୀକ୍ଷକ ଶୁଭନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ପାଇକମାଲ ଓ ପଦ୍ମପୁର ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଗୁରୁବାର ସକାଳେ ଏହି ଚଢ଼ାଉ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଗନ୍ଧମାର୍ଦ୍ଦନ ଜଙ୍ଗଲ ପାଦଦେଶରେ ଥିବା ବୋଡାସମ୍ବର ଗାଁ ସଂରକ୍ଷିତ ଜଙ୍ଗଲରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ହେଉଥିବା ଖବର ପାଇବା ପରେ ଅବକାରୀ ଟିମ୍ ସେଠାରେ ପହଞ୍ଚିଥିଲା । ଚଢ଼ାଉ ସମୟରେ ଜଙ୍ଗଲ ଭିତରେ ଖୋଜାଖୋଜି କରାଯାଇ ତିନୋଟି ସ୍ଥାନରେ ଅସ୍ଥାୟୀ ମଦ ପ୍ରସ୍ତୁତି କୁଡ଼ିଆ ଠାବ କରାଯାଇଥିଲା । ଅବକାରୀ ବିଭାଗର ଉପସ୍ଥିତି ସମ୍ପର୍କରେ ଖବର ପାଇ ମଦ ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଫଳରେ କାହାରିକୁ ଗିରଫ କରାଯାଇପାରିନଥିଲା । ତିନୋଟି ସ୍ଥାନରୁ ମିଳିତ ଭାବେ ୨୦୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା । ଏଥିସହ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପ୍ରାୟ ୪ ହଜାର ଲିଟର ମହୁଲ ପୋଚ ମଧ୍ୟ ଠାବ କରାଯାଇଥିଲା । ଅବକାରୀ ବିଭାଗ ପକ୍ଷରୁ ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯିବା ସହ ଅସ୍ଥାୟୀ ମଦ ପ୍ରସ୍ତୁତି କୁଡ଼ିଆଗୁଡ଼ିକୁ ଭାଙ୍ଗି ଦେଇ ଚୁରମାର୍ କରାଯାଇଛି । ଏହି ଚଢ଼ାଉରେ ପାଇକମାଳ ଅବକାରୀ ଓଆଇସି ବଳରାମ ପଧାନ ଓ ପଦ୍ମପୁର ଅବକାରୀ ଓଆଇସି ମଞ୍ଜୁଲତା ଏକ୍କାଙ୍କ ସମେତ ଅହଲ୍ୟା ମାଝୀ, ମୁକେଶ ବିଶ୍ୱାଳ, ରାଜେଶ ସାହୁ, ପ୍ରେମାନନ୍ଦ ବିଶ୍ୱାଳ, ତାରାକାନ୍ତି ଭୂଏ, ଅମିତ ଦୀପ, ପ୍ରଶାନ୍ତ ବାଗ, ପ୍ରଫୁଲ୍ଲ ମହାକୁଡ଼ ଓ ସୁକାନ୍ତ ବଢ଼େଇଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ଗନ୍ଧମାର୍ଦ୍ଦନ ଜଙ୍ଗଲ ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି ଓ ଚୋରାଚାଲାଣ ବିରୋଧରେ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।