pakka

ଲୋଇସିଂହା ମିଶନ ଶକ୍ତି କାଫେ ଉଦ୍‌ଘାଟନ ପରେ ଝୁଲିଲା ତାଲା

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁ ପ୍ରତିକ୍ଷିତ ଲୋଇସିଂହା ବ୍ଲକ ପରିସର ସ୍ଥିତ ମିଶନ ଶକ୍ତି କାଫେ ଗତକାଲି ଆଡମ୍ବର ସହକାରେ ଉଦ୍‌ଘାଟିତ ହୋଇଥିଲା । ମିଶନ ଶକ୍ତି ତଥା ଶିଶୁ ବିକାଶ ପ୍ରକଳ୍ପରେ ନିୟୋଜିତ ମହିଳା ଗୋଷ୍ଠୀ ତଥା ସ୍ଥାନୀୟ ପଞ୍ଚାୟତ ସମିତିକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି କାଫେ ପରିକଳ୍ପନା କରାଯାଇଛି । ଏହି କାଫେରେ ଚା’, ଜଳଖିଆ ସାଙ୍ଗକୁ ଫାଷ୍ଟଫୁଡ ତଥା ମଧ୍ୟାହ୍ନ ଭୋଜନ ଉପଲବ୍ଧ ହେବ । ତେବେ ଏହି କାଫେ ଉଦ୍‌ଘାଟନ ହେବାର ପରଦିନ ଏଥିରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଯେଉଁ ବୃହତ୍ତର ସ୍ୱାର୍ଥ ନେଇ କାଫେ ଉଦ୍‌ଘାଟନ କରାଗଲା, ତାହା ସୁଦୂର ପରାହତ ହୋଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସ୍ଥାନୀୟ ମହିଳା କର୍ମଚାରୀଙ୍କ କହିବା ମୁତାବକ ଆସନ୍ତା ମାର୍ଚ୍ଚ ୬ ତାରିଖ ବୁଧବାରଠାରୁ ଆନୁଷ୍ଠାନିକ ଭାବେ ଏହି କାଫେ କାର୍ଯ୍ୟକାରୀ ହେବ । ତେବେ ବ୍ଲକ ପ୍ରଶାସନର ଚାପ ଯୋଗୁଁ ତରବରିଆ ଭାବେ ଗତକାଲି ଏହାକୁ ଉଦ୍‌ଘାଟନ କରାଯାଇଥିବା ଜଣାଯାଇଛି । ଏନେଇ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସୂଚନା ଦିଆଯାଇ ନଥିଲା । କାଫେ ଚଳାଇବା ପାଇଁ କର୍ମଚାରୀ ମାନସିକ ଭାବେ ପ୍ରସ୍ତୁତ ନ ଥିବା ବେଳେ କାହା ସ୍ୱାର୍ଥରେ ଅତି ତରବରିଆ ଭାବେ ଏହାକୁ ଉଦ୍‌ଘାଟନ କରାଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ସ୍ଥାନୀୟ ତହସିଲ ତଥା ବ୍ଲକର କିଛି କର୍ମଚାରୀ ଏଠାକୁ ଆସି ନିରାଶରେ ଫେରି ଯାଉଥିବା ଦେଖିବାକୁ ମିଳିଥିଲା । ଲୋଇସିଂହା ବ୍ଲକ ମିଶନ ଶକ୍ତି ସଂଯୋଜିକା ସ୍ୱର୍ଣ୍ଣପ୍ରଭା ନାଗ ତଥା ସିଡ଼ିପିଓ ଗାୟତ୍ରୀ ବାରିକ ଶନିବାର ନିଜ କାର୍ଯ୍ୟାଳୟରେ ନଥିବାରୁ ଉଭୟଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା ।

jay balangir
Leave A Reply

Your email address will not be published.

16 − ten =