ତୁରେକେଲା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିବାରୁ ସରକାରୀ କାର୍ୟ୍ୟରେ ବ୍ୟାଘାତ : ଜନସାଧାରଣରେ ଅସନ୍ତୋଷ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ୟ୍ୟାଳୟର ମୂଖ୍ୟ ଫାଟକରେ ସୋମବାର ଦିନ ତାଲା ଝୁଲୁଥିବାର ଦେଖାଯାଇଥିଲା । ମୂଖ୍ୟ ଫାଟକରେ ତାଲା ମରାଯାଇଥିବାରୁ ବ୍ଲକକୁ ଜରୁରୀ କାମରେ ଆସିଥିବା ଅଂଚଳବାସୀ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦୈନନ୍ଦିନ କାର୍ୟ୍ୟରତ ବି.ଡି.ଓ. ଏବଂ ଅନ୍ୟାନ୍ୟ କର୍ମଚାରୀ କାର୍ୟ୍ୟାଳୟକୁ ସକାଳୁଆ ଅଫିସ କାର୍ୟ୍ୟରେ ଯୋଗ ନ ଦେଇ ଦିନ ୧୧ଟା ପରେ ଅଫିସକୁ ଆସୁଥିବାରୁ ଅଫିସ କାର୍ୟ୍ୟ ଠପ୍‌ ହେଉଛି ବୋଲି କୁହାଯାଇଛି । ସୋମବାର ଦିନ ଦିନ ୧୨ଟା ପରେ ମଧ୍ୟ କେହି ଅଫିସରେ କର୍ମଚାରୀ ନ ଥିବା ବେଳେ ମୂଖ୍ୟ ଫାଟକରେ ତାଲା ଝୁଲୁଥିବା ନେଇ ସମିତି ସଭ୍ୟ କୌଶିକ ମେହେର, ବିଧାୟକ ପ୍ରତିନିଧି କାର୍ତିକ ପୁଟେଲ, ହିଆଁଲ ସରପଂଚ ହରିସିଂ ପୋଢ, ହଲନଭଟା ସରପଂଚ ବଂଶି ତାଣ୍ଡି, ଝରଣି ସରପଂଚଙ୍କ ପ୍ରତିନିଧି, ଖଗସା ପଂଚାୟତ ସମିତି ସଭ୍ୟ ହରେକୃଷ୍ଣ ସଗରିଆ, ଘୁନେଶ ପଂଚାୟତ ସମିତି ସଭ୍ୟ କୈବଲ ଭୋଇ, ଧାମନଡଙ୍ଗା ପଂଚାୟତ ସମିତି ସଭ୍ୟ ଖେଲନ୍ତି ସମରଥ, ହିଆଁଲ ପଂଚାୟତ ସମିତି ସଭ୍ୟ ଲୋକନାଥ ଥପା ସହ ଅନ୍ୟ ସରପଂଚ ଏବଂ ସମିତି ସଭ୍ୟ ମୂଖ୍ୟ ଫାଟକ ତାଲା ମରାଯାଇଥିବା ନେଇ ପ୍ରତିବାଦ କରିବା ସହ ବି.ଡି.ଓ. ମନୋରଂଜନ ପାଣିଗ୍ରାହୀଙ୍କ ଅଫିସ କାର୍ୟ୍ୟରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବି.ଡି.ଓ. ମନୋରଂଜନ ପାଣିଗ୍ରାହୀଙ୍କୁ ଏ ସଂପର୍କରେ ପଚାରିବା ପାଇଁ ତାଙ୍କ ମୋବାଇଲ ନଂ. ୯୮୬୧୬୭୮୨୭୭କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ରିଂଗ ଯାଇଥିବା ସତ୍ୱେ ଫୋନ ଉଠାଇ ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.

1 × two =