pakka

ଶିକ୍ଷକଙ୍କ ବଦଳି ଦାବୀ ନେଇ ବ୍ରାହ୍ମଣୀ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ବ୍ଲକ କଲୋନୀ କ୍ଲଷ୍ଟର ସ୍ଥିତ ଡେଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ସରକାରୀ ପ୍ରକଳ୍ପ ବିଦ୍ୟାଳୟଠାରେ ଶିକ୍ଷକ ବଦଳି ଦାବୀ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଶିକ୍ଷକଙ୍କୁ ବଦଳି ନ କରାଗଲେ ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଏହି ବିଦ୍ୟାଳୟ ୧୯୬୩ ମସିହାରେ ସ୍ଥାପିତ ହୋଇଥିଲା । ଯାହାଫଳରେ ଆଖ ପାଖ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ଠିକ୍‌ ଭାବରେ ପାଠପଢା ମଧ୍ୟ ଚାଲିଥିଲା । ଉକ୍ତ ବିଦ୍ୟାଳୟରେ ୨୪୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ଗତ ବର୍ଷ ବଦଳି ସମୟରେ ଶିକ୍ଷକ ପ୍ରତାପ ନନ୍ଦଙ୍କୁ ବ୍ରାହ୍ମଣୀ ସ୍କୁଲକୁ ବଦଳି ହେବା ପରେ ପ୍ରଧାନ ଶିକ୍ଷକ ପଦବୀକୁ ନେଇ ଟଣାଉଟରା ଆରମ୍ଭ ହୋଇଛି । ଏଠାରେ ପୂର୍ବରୁ ଶିକ୍ଷୟତ୍ରୀ ସ୍ନେହମଞ୍ଜୁଲା ନନ୍ଦ ମଧ୍ୟ ଦୀର୍ଘ ୫/୬ ବର୍ଷ କାର୍ଯ୍ୟ କରିଆସୁଛନ୍ତି । ଯାହା ଫଳରେ ଶିକ୍ଷକ ପ୍ରତାପଙ୍କୁ କୋଣସି ଦାୟିତ୍ୱ ନ ଦେବାରୁ ବିଦ୍ୟାଳୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଛି । ଏ ସମସ୍ୟା ନେଇ ଗ୍ରାମବାସୀ ଓ ପରିଚାଳନା କମିଟି ତରଫରୁ ଶିକ୍ଷକ ପ୍ରତାପ ନନ୍ଦ କାର୍ଯ୍ୟରେ ଅବହେଳା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଗ୍ରାମବାସୀମାନେ ତାଙ୍କୁ ବଦଳି ଦାବୀ ନେଇ ଗତ ୬ ତାରିଖ ଦିନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିଚାଳନା କମିଟି ସ୍କୁଲ ମୁଖ୍ୟ ଗେଟ ସମ୍ମୁଖରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ସିଆର୍‌ସିସି ଚିନ୍ତାମଣି ସାହୁ ପହଂଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ବଦଳି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ପରିଚାଳନା କମିଟି ଓ ଗ୍ରାମବାସୀମାନେ ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନ ସମୟରେ ସ୍କୁଲ କମିଟି ସଭାପତି ତପ ଯାନୀ, କାଳିଆ ବଗର୍ତି, ନରେଶ ବଗର୍ତି, ତରୁଣ ଯାନୀ, ନୀଳ ଛତ୍ରିଆ, ଲଲିତ ବଗର୍ତି, ଗରିବ ମଲ୍ଲିକ, ପବିତ୍ର ନାଗ, ସତ୍ୟ ନାରାୟଣ ବାରିକ, ଛବି ବାରିକ, ନାରାୟଣ ସାହୁ, ସସ୍ମିତା ସାହୁ, ବନମାଳି ନାଗ, ଯୁଗେଶ୍ବର କୁମ୍ଭାରଙ୍କ ସମେତ କମିଟି ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × four =