ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ ପରିଷଦର ଅଧ୍ୟକ୍ଷା ଉଷାକୁମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ଜିଲ୍ଲାର ୬ଟି ବ୍ଲକ ଅଂଚଳରେ ଚାଲିଥିବା ଜନକଲ୍ୟାଣକାରୀ ଯୋଜନା ଓ କାର୍ୟ୍ୟଗୁଡିକର ସ୍ଥିତି ଓ ଗତି ଉପରେ ସମୀକ୍ଷା କରାଯାଇଛି । ବଲାଙ୍ଗିର ଲୋକସଭା ସାଂସଦ ବୈଠକରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ହେଉଥିବା ପ୍ରକଳ୍ପଗୁଡିକର ଆୟ-ବ୍ୟୟ ହିସାବର ସମୀକ୍ଷା ସହ ପ୍ରକଳ୍ପ ଗୁଡିକର ସଂପୂର୍ଣ୍ଣୀକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି । ବିଶେଷକରି, କେନ୍ଦ୍ର ସରକାରଙ୍କ ତରଫରୁ ଚାଲିଥିବା ସମସ୍ତ ଯୋଜନାକୁ ଅଣଦେଖା କରିବା ଏବଂ ଯୋଗ୍ୟ ହିତାଧିକାରୀ ଚିହ୍ନଟରେ ପାତର ଅନ୍ତର କରିବାକୁ ନେଇ ସଦସ୍ୟମାନେ ଅସନ୍ତୋଷ ପ୍ରକଟ କରିବା ସହ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ୟ୍ୟକୁ ନେଇ ହୋ ହାଲ୍ଲା କରିଛନ୍ତି । ମହାତ୍ମାଗାନ୍ଧୀ କର୍ମ ନିୟୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ଜଳ ଯୋଗାଣ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଓ କୃଷି ସିଂଚାଇ ଯୋଜନା ସହ କୋଭିଡ୍ – ୧୯ ତଥା ଅନ୍ୟାନ୍ୟ ଉନ୍ନୟନ କ୍ଷେତ୍ରର ପରିଚାଳନାରେ ଜିଲ୍ଲା ପ୍ରଶାସନର ଅପାରଗତାକୁ ନେଇ ସରଗରମ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ପି.ଡି ଡି.ଆର.ଡି.ଏ ଡୋଳାମଣୀ ପଟେଲଙ୍କ ସହ ବିଭାଗୀୟ ଉଚ୍ଚ ପଦାଧିକାରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.