
ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ରାଜସ୍ଥାନର ଜୟପୁର ସ୍ଥିତ ଏସ୍.ଏମ୍.ଏସ୍ ଷ୍ଟାଡିଅମ ସନ୍ତରଣାଗାରରେ ଅନୁଷ୍ଠିତ ୪୨ ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡିଶା ତରଫରୁ ବଲାଙ୍ଗିର ପିପି ଏକାଡେମୀର ନବମ ଶ୍ରେଣୀ ଛାତ୍ର ସୌରଭ ପୁଟେଲ ପ୍ରତିନିଧିତ୍ୱ କରି ୫୦ ମିଟର, ୧୦୦ ମିଟର ଏବଂ ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ୩ ଟି ସ୍ଵର୍ଣ୍ଣପଦକ ଜିତିବା ସହ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ନୂତନ ଜାତୀୟ ରେକର୍ଡ କରି ବଲାଙ୍ଗିର ତଥା ଓଡିଶା ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଆଜି ପିପି ଏକାଡେମୀ, ବଲାଙ୍ଗିର ତରଫରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ଦ୍ୟୁତିରଞ୍ଜନ ମହାଲିଙ୍ଗ ସଭାପତିତ୍ୱ କରିବା ସହ ସୌରଭର କୃତିତ୍ୱ ପାଇଁ ଆମେ ସଭିଏଁ ଗର୍ବିତ ଏବଂ ଆଗକୁ ସୌରଭ ପରି ଅନ୍ୟ ଛାତ୍ରମାନେ ମଧ୍ୟ ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ବିଭିନ୍ନ କ୍ଷେତ୍ରରେ ଆଗେଇ ଯାଆନ୍ତୁ ବୋଲି କହିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଅଂଶୁପା ଭୋଇ ସୌରଭର ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରମାନଙ୍କ ସଫଳତା ପଛରେ ପିତାମାତାଙ୍କ ଆଶୀର୍ବାଦ ଏବଂ ସହଯୋଗ ନିହାତି ଜରୁରୀ ବୋଲି କହିଥିଲେ । ପିଇଟି ସସ୍ମିତା ରାଣୀ ମିଶ୍ର ସୌରଭକୁ ଅଲମ୍ପିକ ପାଇଁ ପ୍ରସ୍ତୁତ ହେବାକୁ ଉତ୍ସାହିତ କରିଥିଲେ ।କ୍ଷ ସୌରଭ ଜାତୀୟ ପ୍ରତିଯୋଗିତା ପାଇଁ ନିଜକୁ କିପରି ଭାବରେ ପ୍ରସ୍ତୁତ କରିଥିଲେ ସେ ବିଷୟରେ ବଖାଣିଥିଲେ । ଶିକ୍ଷୟିତ୍ରୀ ସୁନିତା ବିଶ୍ଵାଳ ଏବଂ ଅନନ୍ୟା ମିଶ୍ର ସୌରଭର ସନ୍ତରଣ ପ୍ରତିଯୋଗିତାର ଏକ ଭିଡ଼ିଓ କ୍ଲିପ ପ୍ରସ୍ତୁତ କରି ଛାତ୍ର ମାନଙ୍କ ଆଗରେ ପ୍ରଦର୍ଶନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ କେତକୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାଟିକୁ ସୁନିତା ବିଶ୍ଵାଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀଙ୍କ ସହ ସୌରଭର ମା’ ଓ ବାପା ଉପସ୍ଥିତ ଥିଲେ ।