pakka

ଦିନକ ପରେ ସ୍ୱାଧୀନତା ଦିବସ : ପୁରୁଣା ଗଣବେଶ ପିନ୍ଧି ପାଳନ କରିବେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଅଗଷ୍ଟ ମାସ ୫ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଦୁଇ ହଳ ପୋଷାକ, ଗୋଟିଏ ଜୋତା ଓ ଦୁଇ ହଳ ମୋଜା ପାଇବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଚଳିତ ବର୍ଷ ଅଗଷ୍ଟ ମାସର ୧୫ ତାରିଖକୁ ସ୍ୱାଧୀନତା ଦିବସର ୭୫ବର୍ଷ ପୂର୍ତ୍ତି ଅବସରରେ ଅଜାଦୀ କା ଅମୃତ ମହୋତ୍ସବ ବର୍ଷ ପାଳନ କରୁଥିବା ବେଳେ ସରକାରଙ୍କ ନିର୍ଦ୍ଧାରିତ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଗଣପୋଷାକ ପରିଧାନ କରିବାଠାରୁ ବଞ୍ଚିତ ହେଉଥିବାରୁ ଶିକ୍ଷାପ୍ରେମୀ ମହଲରେ ଅସନ୍ତୋଷ ଦେଖାଯାଇଛି । ଏ ସଂକ୍ରାନ୍ତରେ ଦେଓଗାଁ ବ୍ଲକର ବିଆରସି ଦାୟିତ୍ୱରେ ଥିବା ଅଜିତ ମିଶ୍ରଙ୍କୁ ପଚାରିବାରୁ ପ୍ରତି ସ୍କୁଲ ଏକାଉଣ୍ଟରେ ଶିକ୍ଷା ବିଭାଗ ପକ୍ଷରୁ ୫ ଶହ ଟଙ୍କା ଲେଖାଏଁ ଜମା କରାଯାଇଛି । ତାକୁ ଉଠାଣ କରିବା ପରେ ଜଣାପଡ଼ିବ ଯେ, ବ୍ୟାଙ୍କ ପାସ ଠିକ୍‌ ଅଛି ତା’ପରେ ସେହି ଜମା ଖାତାରେ ପୋଷାକ ଟଙ୍କା ଜମା କରାଯିବ । ଟଙ୍କା ଜମା ପରେ ପୋଷାକ କିଣିବା ପାଇଁ ନିୟମ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏତିକି କାମ ଶେଷ ହେବାକୁ ହେଲେ ଅଗଷ୍ଟ ଶେଷ ସୁଦ୍ଧା ଛାତ୍ରଛାତ୍ରୀ ପୋଷାକ ପାଇବା ନେଇ ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ଯେ, ୨୦୨୨/୨୩ ଶିକ୍ଷା ବର୍ଷରେ ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତରେ ୧୫୪ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୦,୪୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତନ୍‌ମଧ୍ୟରୁ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୨୭୪୦ ଜଣ ଛାତ୍ର ଓ ୩୩୬୬ ଜଣ ଛାତ୍ରୀ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ୧୯୫୦ ଜଣ ଛାତ୍ର ଓ ୨୩୮୪ ଜଣ ଛାତ୍ରୀ ମୋଟ ୧୦,୪୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତି ୪ ଶହ ଟଙ୍କାରେ ଦୁଇ ହଲ ପୋଷାକ ଓ ୨ ଶହ ଟଙ୍କାରେ ହଳେ ଜୋତା ଓ ଦୁଇ ହଳ ମୋଜା ବାବଦରେ ସମଗ୍ର ବ୍ଲକର ୬୨ଲକ୍ଷ ୬୪ହଜାର ଟଙ୍କା ସ୍କୁଲ ପାସ ବହି ମାନଙ୍କରେ ଟଙ୍କା ଜମା କରିବାର ବାକି ଥିବା ବିଷୟରେ ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

19 − fifteen =