ଟିଟିଲାଗଡ ପୌରପରିଷଦ ସଫେଇ କର୍ମଚାରୀମାନଙ୍କ ସ୍ୱଚ୍ଛ ଭାରତ ଅଭିଯାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ପୌରପରିଷଦର ସଫେଇ କର୍ମଚାରୀମାନଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଆଜି ଅଠର ଦିନରେ ପହଞ୍ଚିଛି । ସଫେଇ କର୍ମଚାରୀମାନେ ତାଙ୍କ ଦାବୀରେ ଅଟଳ ଥିବା ବେଳେ ପୌରପରିଷଦ ଅଧିକାରୀ ତାଙ୍କ ଜିଦ୍ରେ ଅଛନ୍ତି । ଅଧିକାରୀଙ୍କ ବାରମ୍ବାର ବୁଝାଇବା ସତ୍ୱେ ସଫେଇ କର୍ମଚାରୀ ବୁଝୁ ନଥିବା ବେଳେ ସଫେଇ କର୍ମଚାରୀମାନଙ୍କ ଦାବୀକୁ ପ୍ରଶାସନ ବୁଝୁ ନାହିଁ । ଏହା ମଧ୍ୟରେ ଆଜି ଅକ୍ଟୋବର ଦୁଇ ତାରିଖରେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିବସରେ ସଫେଇ କର୍ମଚାରୀମାନେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ଧାରଣାରେ ଥିବା ସତ୍ୱେ ସହରର ମୁଖ୍ୟ ରାସ୍ତାକୁ ସଫା କରୁଥିଲେ । ସହରକୁ ସ୍ୱଚ୍ଛ ରଖିବା ସେମାନେ ନିଜ ଧର୍ମ ଓ କର୍ମ ଭାବି ଆଜି ସେମାନେ ସ୍ଵଇଚ୍ଛାରେ ରାସ୍ତାଗୁଡ଼ିକୁ ସଫା କରି ଶ୍ରମଦାନ କରିଥିବା କହିଛନ୍ତି । ଏହା ସହ ସହରବାସୀଙ୍କୁ ତାଙ୍କ ଦାବୀ ପ୍ରତି ସମର୍ଥନ ଜଣାଇବା ପାଇଁ ଆହ୍ବାନ କରିବା ସହ ତାଙ୍କ ମହାନତାର ପରିଚୟ ଦେଇଛନ୍ତି । ଟିଟିଲାଗଡ ଏନଏସି ଥିବା ସମୟରୁ ଆଜିକୁ ପୌରପରିଷଦ ହେବା ପର୍ୟ୍ୟନ୍ତ ପ୍ରାୟ କୋଡିଏରୁ ପଚିଶି ବର୍ଷ ହେଲାଣି ସହରର ସଫେଇ କାମ କରି ଆସୁଥିବା କହିଛନ୍ତି । ଏହା ଭିତରେ ଦୁଇ ଥର ସଫେଇ କାମ ପାଇଁ ପୁରସ୍କାର ପାଇବା ସହ ଅନେକ ସମ୍ମାନ ପତ୍ର ପାଇଥିବା କହିଛନ୍ତି । କୋରୋନା ମହାମାରୀରେ ଲୋକେ ଘର ଭିତରେ ଥିବା ସମୟରେ ସଫେଇ କର୍ମଚାରୀମାନେ ସଫେଇ କାମରେ ନିୟୋଜିତ ରହୁଥିଲେ । ନିଜ କର୍ମକୁ ମହାନ୍ ଭାବି ନିଜ ଓ ନିଜ ପରିବାରର ସ୍ୱାସ୍ଥ୍ୟ କଥାକୁ ଚିନ୍ତା ନ କରି ସଫେଇ କାମ କରି ଚାଲିଥିଲେ ବୋଲି କହିଛନ୍ତି । ଏହାସତ୍ତ୍ୱେ ନୂତନ ପୌରପରିଷଦ ଅଧିକାରୀ କାହିଁକି ତାଙ୍କୁ ଠିକା କାମ ପାଇଁ ବାଧ୍ୟ କରୁଥିବା ପ୍ରଶ୍ନ କରିଛନ୍ତି । ସେପଟେ ପୌରପରିଷଦ ଅଧିକାରୀ ଅନେକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସଫେଇ କର୍ମଚାରୀମାନେ ଠିକା କାମକୁ ବିରୋଧ କରି କମ୍ ଦରମା ହଉ କିମ୍ବା କୌଣସି ସୁବିଧା ସୁଯୋଗ ନମିଳୁ ପଛେ, ଆଗରୁ ଯେମିତି ପୌରପରିଷଦ ତରଫରୁ କାମ କରୁଥିଲେ ସେହିପରି ହିଁ କରିବାକୁ ଦିଆଯାଉ ବୋଲି ଦାବୀ କରୁଛନ୍ତି।

Leave A Reply

Your email address will not be published.