om academy

ଭୋଟର ସଚେତନତା ପାଇଁ ଜିଲ୍ଲାରେ ‘ମୁଁ ବି ମିତା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ ‘ମୁଁ ବି ମିତା’ର ଶୁଭାରମ୍ଭ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ରାଜ୍ୟରେ ନୂତନ ମତଦାତାମାନଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବୁଥସ୍ତରୀୟ ଅଧିକାରୀ ମିତାକୁ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମର ବ୍ୟାପକ ରୂପାୟନ ପାଇଁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ‘ମୁଁ ବି ମିତା’ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଆଜିର ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅଞ୍ଜଲିନା ପ୍ରଧାନ, ଜିଲ୍ଲା ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଡେପୁଟି କଲେକ୍ଟର ନିର୍ବାଚନ ଯଶସ୍ଵିନୀ ପୃଥାଳଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ, ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗଦେଇଥିଲେ । ଶ୍ରୀମତୀ ପୋଥାଳ ସ୍ଵାଗତ ସମ୍ଭାଷଣରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ନୂତନ ମତଦାତାମାନଙ୍କୁ ସମ୍ବୋଧିତ କରି ଅତିଥିମାନେ ସେମାନଙ୍କ ଗୁରୁଦାୟିତ୍ବ ବୁଝାଇବା ସହ ଆସନ୍ତା ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ଭାରତ ଭଳି ବିଶ୍ଵର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ସଫଳ ନିର୍ବାଚନ ପାଇଁ ମତଦାନର ପ୍ରତିଶତ ବଢାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ସବୁ ମିତା ମାନଙ୍କୁ ସମର୍ପଣର ସହିତ ନିଜର କର୍ତ୍ତବ୍ୟ କରି ଗଣତନ୍ତ୍ରକୁ ସଫଳ କରିବା ପାଇଁ ଉତ୍ସାହିତ କରିଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ‘ମୁଁ ବି ମିତା’ ଲୋଗୋ ଥିବା ଟୋପି ଓ ବ୍ୟାଚ ପ୍ରଦାନ କରାଯାଇଥିଲା । ଭିଜୁଆଲ ମାଧ୍ୟମରେ ଛାତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ଵ ସମ୍ବନ୍ଧରେ ବୁଝାଇ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

five − three =