ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ଶ୍ରୀ ରାମନବମୀ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ, ରାଉରକେଲା ସହରର ବିଭିନ୍ନ ପୂଜା ମଣ୍ଡପରେ ଶ୍ରୀ ହନୁମାନଙ୍କ ସହ ଶ୍ରୀରାମଙ୍କ ପୂଜା ଅନୁଷ୍ଠିତ ହେବ । ଶ୍ରୀ ରାମ ନବମୀରେ ବିଭିନ୍ନ ହନୁମାନ ଆଖଡା କମିଟି ପକ୍ଷରୁ ଶ୍ରୀ ହନୁମାନଙ୍କ ପୂଜା ଅନୁଷ୍ଠିତ ହେବ । ମାର୍ଚ୍ଚ ୨୮ ତାରିଖ ଦିନ ଶ୍ରୀ ହନୁମାନ ଆଖଡା ଶୋଭାଯାତ୍ରା ରାଉରକେଲା ମୁଖ୍ୟ ରାସ୍ତାରେ ଆୟୋଜିତ ହେବାକୁ ରାଉରକେଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ସମସ୍ତ ଆଖଡା କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଉରକେଲା ସହରର ବିଭିନ୍ନ ହନୁମାନ ଆଖଡା କମିଟିର କର୍ମକର୍ତ୍ତାମାନଙ୍କ ସହ ରାଉରକେଲା ଶାନ୍ତି କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ମୁଖ୍ୟଅତିଥି ଭାବରେ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ପୋଲିସ ଥାନାର ଭାରପ୍ରାପ୍ତ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ରାମନବମୀ ଉପଲକ୍ଷେ ହନୁମାନ ଆଖଡା ଶୋଭାଯାତ୍ରା ରାଜଗାଙ୍ଗପୁର ସହରରେ ମାର୍ଚ୍ଚ ୨୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ପୋଲିସ୍ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ବେଳେ, ରାଉରକେଲା ସହରରେ ହନୁମାନ ଆଖଡା ଶୋଭାଯାତ୍ରା ମାର୍ଚ୍ଚ ୨୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ ବୋଲି ପୋଲିସ୍ ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ବୈଠକରେ ପ୍ରକାଶ କରାଯାଇଛି । ମାର୍ଚ୍ଚ ୨୮ ତାରିଖ ଶନିବାର ଅପରାହ୍ନ ୧ଟା ଠାରୁ ଶ୍ରୀ ହନୁମାନ ଆଖଡା ଶୋଭାଯାତ୍ରା ରାଉରକେଲା ମେନ୍ ରୋଡରେ ଆରମ୍ଭ ହୋଇ ରାତି ୮ଟାରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଶୋଭାଯାତ୍ରାରେ ଡିଜେକୁ ବାରଣ କରାଯାଇଛି ଏବଂ ଏହା ପରିବର୍ତ୍ତେ ସାଉଣ୍ଡ ବକ୍ସ ବଜାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସହରର ମଦ ଦୋକାନଗୁଡିକୁ ମାର୍ଚ୍ଚ ୨୭ ଓ ୨୮ ତାରିଖ ଦିନ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଖଡା ଶୋଭାଯାତ୍ରା ସମୟରେ କୌଣସି ବ୍ୟକ୍ତି ମଦ ପିଇବା ଦେଖାଗଲେ, ତୁରନ୍ତ ପୋଲିସ୍ ହେପାଜତକୁ ନିଆଯିବ ବୋଲି ଏହି ବୈଠକରେ ପ୍ରକାଶ କରାଯାଇଛି । ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶୋଭାଯାତ୍ରା ସମୟରେ ହେଉଥିବା ବିଶୃଙ୍ଖଳିତ ଆଚରଣ ପାଇଁ ମୁଖ୍ୟଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ ଉପଦେଶ ଛଳରେ କହିଥିଲେ ଯେ, ତ୍ରେତୟା ଯୁଗର ଶ୍ରୀରାମ ଥିଲେ ମର୍ଯ୍ୟାଦା ପୁରୁଷ । ସେହି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଥିଲେ ଶ୍ରୀ ହନୁମାନ । ତେଣୁ ଶ୍ରୀ ହନୁମାନଙ୍କ ଆଖଡା ଶୋଭାଯାତ୍ରା ସମୟରେ କୌଣସି ବିଶୃଙ୍ଖଳା ତଥା ବିଶୃଙ୍ଖଳିତ ଆଚରଣ ହେବ ନାହିଁ ବୋଲି ହନୁମାନ ଆଖଡା କମିଟିର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ହନୁମାନ ଆଖଡା ଶୋଭାଯାତ୍ରା ସମୟରେ ରାଉରକେଲା ପୋଲିସ୍ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିସହିତ ବିଦ୍ୟୁତ, ଆଲୋକ ବ୍ୟବସ୍ଥା, ପିଇବା ପାଣି ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ରାଉରକେଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ।