
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଧର୍ମଶାଳାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ମୁରଲୀକ୍ରିଷ୍ଣା ଫାଉଣ୍ଡେସନ କ୍ରିଷ୍ଣା ବିକାଶ ହସ୍ପିଟାଲ୍ ଓ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଭାବେ ଦେବୋଦତ୍ତର କମିଶନର ବିକାଶ ଗୋଏଲ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ସାଧାରଣ ରୋଗ ଠାରୁ ଆରମ୍ଭ କରି ଚର୍ମରୋଗ, ଆଖି, ସୁଗର୍, ମେଡିସିନ ସ୍ପେଶାଲିଷ୍ଟ ଆଦି ମଧ୍ୟ ମାଗଣା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା । ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରକୁ ବିକାଶ ଫାଉଣ୍ଡେସନର ଡାକ୍ତର ଅଜିତ କୁମାର ବାରିକ ସମେତ ବରିଷ୍ଠ ଡାକ୍ତର ଯୋଗ ଦେଇଥିଲେ । ମାଗଣା ସ୍ୱାସ୍ଥ୍ୟ ସେବା ଶିବିରରେ ରୋଗୀମାନେ ଯୋଗଦେଇ ଥିବାରୁ ଏହି ମହାନ୍ ଉଦ୍ଦେଶ୍ୟ ସାର୍ଥକ ହୋଇଛି ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି । ଶିବିରରେ ୬୪୦ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ।