
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାନ୍ତରାମ ଧରୁଆ ବୁଧବାର ନିଜ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ଲକ ବିଇଓ କାର୍ଯ୍ୟାଳୟରେ ତାଙ୍କୁ ଏକ ବିଦାୟକାଳୀନ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ବ୍ଲକ ଅଧିନସ୍ଥ ସମସ୍ତ ୧୨ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ଧରୁଆଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା,ସରଳ ବ୍ୟବହାର ଓ ଶିକ୍ଷା କ୍ଷେତ୍ର ପ୍ରତି ତାଙ୍କର ଅବଦାନକୁ ସ୍ମୃତିଚାରଣ କରିଥିଲେ । ଶ୍ରୀ ଧରୁଆ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି, ବିଦ୍ୟାଳୟଗୁଡ଼ିକର ସୁଚାରୁ ପରିଚାଳନା ସହିତ ସମସ୍ତ ଆଞ୍ଚଳିକ ସାଧନ କର୍ମି ଏବଂ ଶିକ୍ଷକମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ନିଜର ଦାୟିତ୍ୱକୁ ନିଷ୍ଠାର ସହିତ ସମ୍ପାଦନ କରିଥିଲେ । ତାଙ୍କର ସହଯୋଗୀ ମନୋଭାବ ଓ ଆତ୍ମୀୟ ବ୍ୟବହାର ସମସ୍ତଙ୍କ ମନରେ ସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ସମସ୍ତେ ଶ୍ରୀ ଧରୁଆଙ୍କ ଆଗାମୀ ଜୀବନ ଓ କର୍ମମୟ ପଥ ସୁଖମୟ, ସଫଳ ଓ ମଙ୍ଗଳମୟ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ।