
- ୟୁପିଏସ୍ସିର ଶତାବର୍ଷିକୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଓ ଡାକଟିକଟ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବର ୨୦୨୬ ପୂର୍ବାହ୍ନ ୧୧ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ରେ ୟୁନିଅନ୍ ପବ୍ଲିକ ସର୍ଭିସ୍ କମିଶନ (ୟୁପିଏସ୍ସି)ର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ ମଧ୍ୟ କରିବେ ।
ୟୁପିଏସ୍ସିର ପ୍ରତିଷ୍ଠାକୁ ୧୦୦ ବର୍ଷ ପୂରଣ ହେବା ଉପଲକ୍ଷେ ଗତ ବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଏହା ହେବ ସମାପନ ସମାରୋହ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୟୁପିଏସ୍ସିର ଶତବାର୍ଷିକୀ ସ୍ମାରକୀ ମୁଦ୍ରା, ଏକ ସ୍ମାରକୀ ଡାକଟିକଟ ଏବଂ ‘ଭାରତରେ ୟୁପିଏସ୍ସି ଏବଂ ଲୋକସେବା ଆୟୋଗଗୁଡିକର ନୀତି ନିର୍ଦ୍ଧାରଣରେ ୧୦୦ଟି ଗୁରୁତ୍ୱପୂର୍ଣ୍ଣ ରାୟ’ (୧୦୦ ଲ୍ୟାଣ୍ଡମାର୍କ ଜଜ୍ମେଣ୍ଟସ୍ – ସେପିଂ ଦ ପଲିସିଜ୍ ଅଫ୍ ୟୁପିଏସ୍ସି ଆଣ୍ଡ୍ ପବ୍ଲିକ୍ ସର୍ଭିସ୍ କମିଶନ୍ସ ଇନ୍ ଇଣ୍ଡିଆ) ଶୀର୍ଷକ ପୁସ୍ତକ ଉନ୍ମୋଚନ କରିବେ ।
ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ହିତାଧିକାରୀମାନେ ଅଂଶଗ୍ରହଣ କରିବେ, ଯେଉଁଥିରେ ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ୟୁପିଏସ୍ସି ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ସାମିଲ ହେବେ ।
ଏହି କାର୍ଯ୍ୟକ୍ରମ ୟୁପିଏସ୍ସି ଦ୍ୱାରା ୨୦୨୬ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ତାରିଖରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମର ଏକ ଅଂଶ ଅଟେ । ପ୍ରଥମ ଦିନରେ ଭାରତ ମଣ୍ଡପମ୍ରେ ‘ଶତାବ୍ଦୀ ସମାରୋହ – ମନ୍ଥନ’ ଅନୁଷ୍ଠିତ ହେବ, ଯେଉଁଥିରେ ବିଶିଷ୍ଟ ବକ୍ତାମାନଙ୍କର ସମ୍ବୋଧନ ଏବଂ ବିଭିନ୍ନ ବିଷୟ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ ।