ଥଣ୍ଡା ପାନୀୟ ଜଳ ସେବା ଶ୍ରୀହୀନ : ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳର ମୁଖ୍ୟ ଛକ ତଥା ଜନଗହଳି ଜାଗାରେ ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଜମଲା ମୁଖ୍ୟ ଛକରେ ଜମଲା ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ମଧ୍ୟ ଏକ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।

ତତକାଳୀନ ସମ୍ବଲପୁର ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କ ସାଂସଦ ପାଣ୍ଠିରୁ ପ୍ରଦତ୍ତ ଦୁଇ ଲକ୍ଷଟଙ୍କା ବିନିମୟରେ ଉକ୍ତ ଥଣ୍ଡା ପାନୀୟ ଜଳ ପାଇଁ ତିଆରି ହୋଇଥିଲା । ରକ୍ଷଣାବେକ୍ଷଣ ଅଭାବ କାରଣରୁ ବର୍ତ୍ତମାନ ଏହି ଥଣ୍ଡା ପାନୀୟ ଜଳ ସେବା ଶ୍ରୀହୀନ ହୋଇ ପଡିରହିଛି ।

ଚାରିଆଡ଼େ ଛୋଟ ଛୋଟ ଅନାବନା ଗଛଲତା ଉଠିଯାଇଛି । ଟ୍ୟାପ ଗୁଡିକ ଭାଙ୍ଗି ଯାଇଛି । ଜମଲାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବା କାରଣରୁ ଜମଲାକୁ ପ୍ରତ୍ୟହ ଶହଶହ ଲୋକ ଆସିଥାନ୍ତି । ଲୋକ ପାଣି ପିଇବା ପାଇଁ ହୋଟେଲ ଅଥବା ପାଣି ପାଉଚ କିଣି ପାଣି ପିଇଥାନ୍ତି ।

ରକ୍ଷଣାବେକ୍ଷଣ ବାହାନାରେ କେହିଜଣେ ଏଠାକାର ଫ୍ରିଜର, ଷ୍ଟେପଲାଜର ତଥା ଅନ୍ୟାନ୍ୟ ଯନ୍ତ୍ରପାତି ନିଜ ଘରେ ରଖିଥିବା ଚର୍ଚ୍ଚା ହେଉଛି । ଯଥାଶୀଘ୍ର ଏହି ଥଣ୍ଡା ପାନୀୟ ଜଳ ସେବାକୁ ମରାମତି କରି କାର୍ୟ୍ୟକ୍ଷମ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.