
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିବାହ କରିବାର ପ୍ରତିଶୃତି ଦେଇ ଜଣେ ଆଦିବାସୀ ଯୁବତୀଙ୍କ ସହ ଦୁଇ ମାସ ଧରି ଏକାଠି ରହିବା ପରେ ବିବାହକୁ ମନା କରିଦେଇଥିବା ଅଭିଯୋଗ ଖପ୍ରାଖୋଲ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ଅନୁଯାୟୀ, ମାଟିଆଭଟା ପଞ୍ଚାୟତ କେନ୍ଦୁଭଟା ଗ୍ରାମର ସୁମନ୍ତ ପୋଢ଼ ଓ ସେହି ଗ୍ରାମର ଜଣେ ଯୁବତୀ ପ୍ରାୟ ପାଞ୍ଚ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ଗ୍ରାମ ସମାଜର ଉପସ୍ଥିତିରେ ବିବାହର ପ୍ରତିଶୃତି ଦେଇ ସୁମନ୍ତ ଯୁବତୀଙ୍କୁ ନିଜ ଘରକୁ ନେଇଥିଲେ । ପରେ ଉଭୟ ତାମିଲନାଡୁର ତିରୁପ୍ପୁରରେ କାମ କରିବା ସମୟରେ ପ୍ରାୟ ଦୁଇ ମାସ ଏକାଠି ରହିଥିଲେ । କିନ୍ତୁ ଗାଁକୁ ଫେରିବା ପରେ ସୁମନ୍ତ ବିବାହକୁ ମନା କରି ଯୁବତୀଙ୍କୁ ଛାଡ଼ି ଫେରାର ହୋଇଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଖପ୍ରାଖୋଲ ପୋଲିସ ଥାନା କେସ୍ ନଂ–୧୩୭/୨୦୨୬ରେ ମାମଲା ରୁଜୁ କରି ଅଭିଯୁକ୍ତ ସୁମନ୍ତ ପୋଢ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣା ପୁଣିଥରେ ବିବାହର ପ୍ରତିଶୃତିକୁ ନେଇ ହେଉଥିବା କଥିତ ପ୍ରତାରଣା ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି ।
