ମାଝୀପଡା ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ

ତୁରେକେଲା, (ମନୀଶ କୁମାର ହଂସ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍ୱ।ଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମଉଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଭୀମସେନ ପଣ୍ଡା, ଥମିର ଛତ୍ରିଆ, ଶିକ୍ଷୟତ୍ରୀ ଦେବକୀ ତାଣ୍ଡି ଅତିଥି ଭାବରେ ଯୋଗଦାନ ଦେଇ ଜାତୀୟ ଶିକ୍ଷା ଦିବସ ଉପରେ ଆଲୋକପାତ କରିଥିଲେ । ବର୍ତ୍ତମାନ କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାକୁ ବିପର୍ୟ୍ୟସ୍ତ କରିଥିବା ବେଳେ ଜାତୀୟ ଶିକ୍ଷା ପଦ୍ଧତି ଉପରେ ମାନସ ମନ୍ଥନ କରିଥିଲେ । ଲୋକଙ୍କ ମନରେ କିପରି ଶିକ୍ଷା ଉପରେ ଆଗ୍ରହ ବୃଦ୍ଧି ପାଇବ ତାରି ଉପରେ ମଧ୍ୟବିଚାର ବିମର୍ଷ କରାଯାଇଥିଲା । ସଭାରେ ଉପସ୍ଥିତ ପରିଚାଳନା କମିଟିର ସଭ୍ୟା ଅଗସ୍ତି ମାଝୀ, ଛିନେ ମାଝୀ ଆଦି ଏକମତ ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ହ୍ୱାଟସଆପ ଗୃପରେ ପ୍ରେରଣ କରାଯାଇଥିଲା, ଯାହାକି ଛାତ୍ରଛାତ୍ରୀମାନେ ଘରେ ରହି ଏହି ଦିବସର ମହତ୍ତ୍ୱକୁ ହୃଦୟଙ୍ଗମ କରିପାରିବେ । ପରିଶେଷରେ ଦେବକୀ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.