pakka

କିରାବାହାଲ-ଛତାମଖନା ସେତୁ ଉଦ୍‌ଘାଟନ କଲେ ନରସିଂହ

bbehera
  • ଗ୍ରାମାଞ୍ଚଳକୁ ଆର୍ଥିକ ସମୃଦ୍ଧି ଦିଗରେ ଆଗେଇ ନେବ ଏହି ସେତୁ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବହୁ ପ୍ରତିକ୍ଷିତ କିରାବାହାଲ-ଛତାମଖନା ସେତୁ ଲୋକାର୍ପିତ ହୋଇଯାଇଛି । ଏହି ସେତୁ ପାଇଁ ଲୋକେ ଦୀର୍ଘ ଦିନରୁ ଦାବୀ କରିଆସୁଥିଲେ । ଜାତୀୟ ରାଜପଥକୁ ଆସିବା ପାଇଁ ସୁକତେଲ ଆରପଟରେ ଥିବା କିରାବାହାଲ, ରାଣୀପାଲି, ଖଲିଆପାଲି, ସେମିଲିଆ, ରାମସିଂହା, ଧମନାସର ଇତ୍ୟାଦି ଅଞ୍ଚଳର ଲୋକଙ୍କୁ ୧୫ କି.ମି. ପର୍ଯ୍ୟନ୍ତ ବୁଲିବାକୁ ପଡୁଥିଲା । ଏହି ସେତୁଟି ବର୍ତ୍ତମାନ ଏହି ଦୂରତ୍ୱକୁ ୫ କି.ମି.କୁ ନେଇ ଆସିଛି । ଏଣୁ ଏହି ସେତୁଟି ନିଶ୍ଚିତ ଭାବରେ ଗମନା ଗମନ, ସାମାଜିକ ଓ ବୈବଷାୟିକ ଦୃଷ୍ଟିକୋଣରୁ ଏହି ଅଂଚଳ ପାଇଁ ଏକ ଆଶୀର୍ବାଦ ହେବା ସହ ଏ ଅଞ୍ଚଳକୁ ଆର୍ଥିକ ଓ ସମୃଦ୍ଧି ଦିଗରେ ଆଗେଇ ନେବ ବୋଲି ଏହି ସେତୁର ଲୋକାର୍ପଣ ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ଏହି ଅଂଚଳର ଲୋକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକଙ୍କ ଏକତା ଥିଲେ ଏପରି ବିକାଶମୂଳକ କାର୍ଯ୍ୟରେ ସହଜରେ ସଫଳତା ମିଳେ ବୋଲି କହିଥିଲେ । ୨୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ସେତୁର ଲମ୍ବ ୨୫୦ ମିଟର ଏବଂ ଏହା ୨୦୧୮ ମସିହା ଜୁନ ମାସ ୨ ତାରିଖ ଦିନ ଭିତ୍ତି ପ୍ରସ୍ତର ଦିଆଯାଇଥିଲା । ଆଜିର ଏହି ଲୋକାର୍ପଣ ଉତ୍ସବରେ ବଲାଙ୍ଗିର ବିଧାୟକଙ୍କୁ ଏହି ଅଂଚଳର ସହସ୍ରାଧିକ ଲୋକ ଏନ୍‌ଏଚ୍‌ ଠାରୁ ସେତୁ ପର୍ଯ୍ୟନ୍ତ ବିକାଶର ନାରା ଦେଇ ପାଛୋଟି ନେଇଥିଲେ । ସେଠାରେ ପୁର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ନଳୀନିକାନ୍ତ ଦାଶଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଫିତାକାଟି ସେତୁର ଉଦ୍‌ଘାଟନ କରିଥିଲେ ବିଧାୟକ ଶ୍ରୀ ମିଶ୍ର । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ଖଲିଆପାଲି ସରପଞ୍ଚ ରାଣୀମା ପାତ୍ର, ଚନ୍ଦନଭାଟି ସରପଞ୍ଚ ମିନା କୁମାରୀ ଭୋଇ, ସହକାରୀ ଯନ୍ତ୍ରୀ ଖକେନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଭିତ୍ତିପ୍ରସ୍ତର ପରେ ପରେ କିରାବାହାଲଠାରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ସ୍ଥାନୀୟ ଲୋକେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଉଚ୍ଛର୍ସିତ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରତିଉତ୍ତରରେ ଶ୍ରୀ ମିଶ୍ର ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ସମଗ୍ର ଅଂଚଳର ଲୋକେ ଯେମିତି ରାସ୍ତା, ବିଜୁଳି ଓ ପାଇପ ଯୋଗେ ପିଇବା ପାଣି ପାଇବାରୁ ବଂଚିତ ନ ହେବେ ତାହାକୁ ଦୃଢ ନିଶ୍ଚିତ କରାଯିବ ବୋଲି କହିଥିଲେ । ତାହା ସହ ଅଂଚଳରେ ଥିବା ବିଧବା, ବିକଳାଙ୍ଗ ୩୫ ବର୍ଷରୁ ଉଦ୍ଧ୍ୱର୍ ଅବିବାହିତ ଝିଅ ଯେପରି ସାମାଜିକ ସୁରକ୍ଷା ଯୋଜନାରୁ ଲାଭ ପାଇ ପାରିବେ ସେ ଦିଗରେ ମଧ୍ୟ ସେ ନିଜେ ତତ୍ପରତା ସହ କାମ କରୁଛନ୍ତି ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ଏହା ସହ ଏହି ସେତୁରୁ ଅଳ୍ପ କିଛି ଦୂରରେ ୧୧୭ କୋଟି ଟଙ୍କାର ଆଉ ଏକ ବ୍ୟାରେଜ ନିର୍ମାଣ ହେବାକୁ ଯାଉଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏହି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା, ଉମାଶଙ୍କର ପଣ୍ଡା, ଶୁଭ୍ରାଂଶୁ ପଣ୍ଡା, ବୁଲୁ ଦାନି, ଲୋପନ ମିଶ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ten − seven =