pakka

ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ତରଫରୁ ପୋଷ୍ୟଗ୍ରାମ ଲୁହାକେରାଠାରେ ଆୟୋଜିତ ସପ୍ତାହବ୍ୟାପୀ ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି । ଶିବିରର ସଂଚାଳିକା ଅଞ୍ଜଳୀ କୋଦମାସିଂଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସବିତା ଦାସ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଜିତେନ୍ଦ୍ର ନାଥ ଦାସ ଉପସ୍ଥିତ ରହି ନିଶା ନିବାରଣ ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷା ଡଃ ଦାସ ଶିବିରର ଆଭିମୁଖ୍ୟ ଓ ଏହାର ଉଦ୍ଦେଶ୍ୟ ସଂପର୍କରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରର ବିଭିନ୍ନ ଦିନମାନଙ୍କରେ ସରକାରୀ ଡାକ୍ତରଖାନାର କାଉନସିଲର ଡାକ୍ତର ପୁଷ୍ପାରାଣୀ ମିଶ୍ର ‘ସେ ନୋ ଟୁ ଡ୍ରଗ୍ସ’, ରାଉରକେଲା ସ୍ମାର୍ଟସିଟିର ଲାୟନ୍ସ ଦୁର୍ଗେଶ ନନ୍ଦିନୀ ‘ନିଶା ନିବାରଣ’ ଓ ସମାଜସେବୀ ଶୈଳବାଳା ଷଡଙ୍ଗୀ ‘ବେଟି ପଢାଅ, ବେଟି ବଢାଅ’ ସଂପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଫେଇ, ନିଶା ନିବାରଣ, ବେଟି ପଢାଅ ବେଟି ବଢାଅ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ କରି ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହା ସହ ଏହି ଶିବିରରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର, ଗୀତ, ପ୍ରବନ୍ଧ, ବକୃତା ପ୍ରତିଯୋଗିତା କରାଯାଇ ଉଦ୍‌ଯାପନୀ ଦିବସରେ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମାନସ କୁମାର ନାୟକ, ଆଶୁତୋଷ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିବିର ସଂଚାଳିକା ଅଞ୍ଜଳୀ କୋଦମାସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 × 1 =