csstore

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ : ନିଜ ଜୀବନ ନିଜ ହାତରେ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଓ ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଙ୍ଗୋମୁଣ୍ଡା ରେଡ୍‌କ୍ରସ୍ ବିଭାଗର ମିଳିତ ସହଯୋଗରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡ୍‌କ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ସଚେତନ କରିବା ସହିତ ଛାତ୍ରଛାତ୍ରୀମାନେ ଆଗାମୀ କାଲିର ନାଗରିକ ଏବଂ ସେମାନେ ହିଁ ଦେଶର ଉଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବେ ବୋଲି କହିବା ସହ ପ୍ରଥମେ ଏମାନଙ୍କଠାରୁ ହିଁ ସଚେତନତାର ଶୁଭାରମ୍ଭ କରିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଡକ ସୁରକ୍ଷାର ବାତ୍‌ର୍ତ୍ତା କିପରି ସମସ୍ତଙ୍କ ପାଖରେ ପହଂଚି ପାରିବ ସେ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗରୁଡଧ୍ୱଜ ବେହେରା ପିଲା ମାନଙ୍କୁ ଭାଷଣ ମାଧ୍ୟମରେ କହିଥିଲେ । ପରେ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ସମୁଖସ୍ଥ ରାଜ୍ୟ ରାଜପଥରେ କାର୍‌, ମୋଟର ସାଇକେଲ୍‌, ଅଟୋ, ବସ୍ ଓ ଟ୍ରକ୍ ଆଦି ଗାଡିର ଚାଳକମାନଙ୍କୁ ସଡକ ସୁରକ୍ଷା ଲିଫ୍‌ଲେଟ୍ ପ୍ରଦାନ କରିଥିଲେ । ହେଲ୍‌ମେଟ୍ ପିନ୍ଧିଥିବା ଓ ସିଟ୍‌ବେଲ୍ଟ ଲଗାଇଥିବା ଆରୋହୀମାନଙ୍କୁ ଚକୋଲେଟ୍ ପ୍ରଦାନ କରିଥିବାବେଳେ ହେଲ୍‌ମେଟ୍ ପିନ୍ଧି ନଥିବା ଆରୋହୀମାନଙ୍କୁ ଫୁଲ ପ୍ରଦାନ କରି ସଚେତନ କରିଥିଲେ । ଯୁବ ରେଡ୍‌କ୍ରସ୍ ବିଭାଗର ଅଧ୍ୟାପକ ରଶ୍ମିରଂଜନ ସ୍ୱାଇଁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଥାନାର କର୍ମଚାରୀମାନଙ୍କ ସହିତ ରେଡ୍‌କ୍ରସ୍ ବିଭାଗର ସ୍ୱେଚ୍ଛାସେବୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.