jayashree

ମହିପୁର ଆଶ୍ରମ ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ସର୍‌ଗିଫୁଲ ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସର୍‌ଗିଫୁଲ” କାର୍ଯ୍ୟକ୍ରମ ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ମହିପୁର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଆଲୋକ ପଟେଲ ଯୋଗଦେଇ ଜିଲ୍ଲା ସ୍ତରୀୟ “ସର୍‌ଗିଫୁଲ” ଓ “ବିଜ୍ଞାନମେଳା” କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗୁଡ଼ଭେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର୍ ଭୋଇ, ଅତିରିକ୍ତ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ଵାଳ, ଅତିରିକ୍ତ ମଙ୍ଗଳ ଅଧିକାରୀ ପାଟଣାଗଡ, ଜିଲ୍ଲା ଶିକ୍ଷା ନିରୀକ୍ଷକ ନରହରି ଯାନି, ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାଏକ, ସ୍କୁଲ ପରିଚାଳନା କମିଟି ସଭାପତି ହରିଶ୍ଚନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡମ୍ବରୁଧର ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର, ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟି, ଗୁଡ଼ଭେଲା ବିଇଓ ନମିତାରାଣୀ ଭୋଇ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ସର୍‌ଗିଫୁଲ ଅବସରରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । ବଲାଙ୍ଗିର ଜିଲ୍ଲାର ଏହି ବିଭାଗ ଅନ୍ତର୍ଗତ ବିଦ୍ୟାଳୟମାନଙ୍କରେ ୨୦୨୫-୨୬ ବର୍ଷରେ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଓ ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସମସ୍ତ ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସମସ୍ତ ଆଶ୍ରମ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଲୟ ସହିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଏବଂ ଅନ୍ୱେଷା ହଷ୍ଟେଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ । ରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ରାଉତ, ଅନ୍ୱେଷା ହଷ୍ଟେଲ ପରିଚାଳକ ଯୋଗୀରାଜ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଦୁମଦୁମି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ଦାନନ୍ଦ ତ୍ରିପାଠୀ ସହଯୋଗ କରିଥିଲେ । ମହିପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ନାଏକ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.