ସପ୍ତମ ବେତନରେ ପାତର ଅନ୍ତରକୁ ନେଇ ବଲାଙ୍ଗିର ଜିଲ୍ଲା ୨୦୧୮ ଅନୁଦାନ ପ୍ରାପ୍ତ ଅଧ୍ୟାପକ-କର୍ମଚାରୀଙ୍କ ଅସନ୍ତୋଷ, ଯଥାଶୀଘ୍ର ସାମିଲ ପାଇଁ ନିବେଦନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଓଡ଼ିଶା ୨୦୧୮ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ କନିଷ୍କ ମହାବିଦ୍ୟାଳୟରେ ଥିବା ଏହି ବର୍ଗର ଅଧ୍ୟାପକ କର୍ମଚାରୀମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଡ଼କ୍ଟର ଲିଙ୍ଗରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ମହାବିଦ୍ୟାଳୟର ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀମାନେ ଯୋଗଦେଇ ସମସ୍ତ ଯୋଗ୍ୟତା ସତ୍ୱେ ୨୦୧୮ ଅନୁଦାନ ଆଇନକୁ ସପ୍ତମ ବେତନରେ ସାମିଲ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଯଥାଶୀଘ୍ର ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଏଥିରେ ସାମିଲ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ ଓ ସ୍ଥାନୀୟ ବିଧାୟକମାନଙ୍କୁ ନିବେଦନ ପତ୍ର ଦେବାକୁ ସର୍ବସମ୍ମତିକ୍ରମେ ସ୍ଥିର କରିଥିଲେ । ପ୍ରକାଶ ଥାଉକି ଗତ ତା ୩୧/୧୨/୨୦୨୧ ରିଖରେ ରାଜ୍ୟ କ୍ୟାବିନେଟ ୨୦୧୭ ଅନୁଦାନ ପରିସର ଭୁକ୍ତ ଅଧ୍ୟାପକ କର୍ମଚାରୀମାନଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ କରିବାକୁ ଅନୁମୋଦନ କରିଥିବା ବେଳେ ସମସ୍ତ ଯୋଗ୍ୟତା ସତ୍ତେ୍ୱ ୨୦୧୮ ଅନୁଦାନ ଆଇନକୁ ଏଥିରେ ସାମିଲ କରାଯାଇନଥିଲା । ସେଥିରେ ତେୟାଳିସ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଉପକୃତ ହୋଇଥିବା ବେଳେ ଏହି ବର୍ଗରେ ଥିବା ମାତ୍ର ଅଳ୍ପ ସଂଖ୍ୟକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ବଂଚିତ ହୋଇଛନ୍ତି । ଏହାପରେ ସମଗ୍ର ରାଜ୍ୟରେ ଏକ ଅସନ୍ତୋଷର ବାତାବରଣ ଖେଳିଯାଇଥିଲା । ସେହି କ୍ରମରେ ଆଜି ଅନୁଷ୍ଠିତ ଏହି ସଭାରେ ଆଞ୍ଚଳିକ ମହାବିଦ୍ୟାଳୟ କୁଶଙ୍ଗର ଅଧ୍ୟାପିକା ବିଘ୍ନଶ୍ରୀ ଗୁରୁ, ଡିଏଭି ଟିଟିଲାଗଡ଼ରୁ ସସ୍ମିତା ପାଣିଗ୍ରାହୀ, ଜ୍ୟୋତିବିକାଶ ମହାବିଦ୍ୟାଳୟ, ଭଇଁଷାରୁ କ୍ଷୀରୋଦ କୁମାର ସାହୁ, ଜଗନ୍ନାଥ ମହାବିଦ୍ୟାଳୟ, ସାହାଜବାହାଲରୁ ହିମାଂଶୁ କୁମାର ବାରିକ, କଣ୍ଟାବଞ୍ଜିରୁ କରୁଣାକର ନାୟକ, ଜିତେନ୍ଦ୍ର ସୁନା, ମିଲିକ କର, ପଞ୍ଚାୟତ ମହାବିଦ୍ୟାଳୟ, ଲାଠୋରରୁ ଭଗବାନ ଦାସ, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ବଙ୍ଗୋମୁଣ୍ଡାରୁ ବନିତା ସାହୁ, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ଦେଓଗାଁରୁ ମହେଶ କୁମାର ମେହେର, ରାଧେଶ୍ୟାମ ଆଞ୍ଚଳିକ ଡ଼ିଗ୍ରୀ ମହାବିଦ୍ୟାଳୟ, ବିଲାଇସରଡ଼ାରୁ ରାମଶରଣ ପଧାନ, ଯୁଧିଷ୍ଠିର କନିଷ୍ଠ ମହାବିଦ୍ୟାଳୟ, ଛତାମଖନାରୁ ଡ.ଦୈତାରୀ ପୂଜାରୀ ପ୍ରଭୃତି ମତବ୍ୟକ୍ତ କରିଥିଲେ । ଏଥିରେ ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିତେନ୍ଦ୍ର ସୁନା, ଜିଲ୍ଲା ସଭାପତି ଭାବେ ଡ. ଦୈତାରୀ ପୂଜାରୀ ଓ ସଂପାଦକ ଭାବେ କରୁଣାକର ନାୟକଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି । ୨୦୧୮ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଯଥାଶୀଘ୍ର ସପ୍ତମ ବେତନ ହାରରେ ଦରମା ଦେବାସହ ଆଗାମୀ ଦିନରେ ୨୦୧୭ ଓ ୨୦୧୮ ଅନୁଦାନ ନୀତିରେ କୌଣସି ପ୍ରକାରର ପାତର ଅନ୍ତର ନକରି ସମସ୍ତ ସୁବିଧା ସୁଯୋଗ ଏଥିରେ ଲାଗୁ କରିବାକୁ ଏହା ମାଧ୍ୟମରେ ସରକାରଙ୍କୁ ସମସ୍ତେ ନିବେଦନ କରିଥିଲେ ।

Leave A Reply

Your email address will not be published.

seven + 19 =